ସମୟ ସହ ତାଳ ଦେଇ ଆଗକୁ ବଢୁଛନ୍ତି ତୃତୀୟ ଲିଙ୍ଗି: ସପ୍ଟ ଟଏ ତିଆରି କରି ରୋଜଗାର କରୁଛନ୍ତି କଟକର କିଛି କିନ୍ନର ଗୋଷ୍ଠୀ

66

କନକ ବ୍ୟୁରୋ: ସମୟ ସହ ବଦଳିଛି କିନ୍ନରଙ୍କ ଜିଇଁବାର ଉପାୟ । ଦିନ ଥିଲା ତୃତୀୟ ଲିଙ୍ଗ କୁହାଯାଉଥିବା କିନ୍ନରମାନେ ରାସ୍ତାରେ ହାତ ପତେଇ ଟଙ୍କା ମାଗୁଥିଲେ,ଲୋକଙ୍କ ଦାନ ଅର୍ଥରେ ପରିବାର ଚଳାଉଥିଲେ । କିନ୍ତୁ ଆଜି ସେମାନେ ନିଜେ ସ୍ୱାବଲମ୍ବୀ ହୋଇଛନ୍ତି । ସପ୍ଟ ଟୟ ତିଆରି କରି ଆତ୍ମନିର୍ଭରଶୀଳ ହେବା ପାଇଁ ଚେଷ୍ଟା କରୁଛନ୍ତି କଟକର କିଛି କିନ୍ନର ।

ସମୟ ସହ ତାଳଦେଇ ନିଜର ପେଶା ଓ ନିଶାକୁ ବଦଳାଉଛନ୍ତି ତୃତୀୟଲିଙ୍ଗି । ଟୟ ତିଆରି କରି ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରିଛନ୍ତି କଟକର କିଛି କିନ୍ନର ଗୋଷ୍ଠୀ । କଟକର କିଛି କିନ୍ନର କଣ୍ଢେଇ ତିଆରି କରି ନିଜେ ରୋଜଗାରକ୍ଷମ ହୋଇପାରିଛନ୍ତି । ଯେଉଁମାନେ ଦିନେ ଅନ୍ୟ ପାଖରେ ହାତ ପତେଇ ବଂଚିବା ପାଇଁ ସଂଘର୍ଷ କରୁଥିଲେ, ଆଜି କଣ୍ଢେଇ ତିଆରି କଳା ଶିଖି ସମ୍ମାନର ସହ ବଂଚିବା ପାଇଁ ଚେଷ୍ଟା କରୁଛନ୍ତି । ଆଉ ଏଥିପାଇଁ ସହାୟତାର ହାତ ବଢ଼େଇଛି ନାବାର୍ଡ଼ । ମାଇକ୍ରୋ ଏଂଟରପ୍ରାଇଜେସ୍ ଡେଭଲପମେଂଟ ପ୍ରୋଗ୍ରାମ ମାଧ୍ୟମରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ପ୍ର୍ରୟାସ କରିଛି କଟକର ତୁଳସୀ ୱେଲଫେୟାର ଚାରିଟେବୁଲ ଟ୍ରଷ୍ଟ । ୨ଟି ସ୍ୱୟଂ ସହାୟକ ଗୋଷ୍ଠୀର ୨୦ରୁ ଅଧିକ କିନ୍ନରଙ୍କୁ ନେଇ ସପ୍ଟଟୟ ତିଆରି ପାଇଁ ପୁରୀର ଜଣେ ସରକାରୀ ସ୍ୱୀକୃତିପ୍ରାପ୍ତ ମହିଳା ତାଲିମ ଦେଉଛନ୍ତି । ଆଉ ଏହି କାମକୁ କିନ୍ନରମାନେ ବେଶ ଆଗ୍ରହର ସହ କରିବା ସହ ଖୁସି ପ୍ରକାଶ କରିଛନ୍ତି ।

୧୩ ଦିନ ଧରି ହେଉଥିବା ଏହି ତାଲିମରେ ଦିନକୁ ୮ ରୁ ୧୦ ଘଂଟା ମଧ୍ୟରେ ଅନେକ ଛୋଟ ବଡ଼ ସପ୍ଟ ଟୟ ତିଆରି କରୁଛନ୍ତି କିନ୍ନର । ଛୋଟ ପିଲାଙ୍କ ଖେଳନା ଠାରୁ ଆରମ୍ଭ କରି କଣ୍ଢେଇ, ଘରେ କିମ୍ବା ଗାଡ଼ିରେ ସଜାଉଥିବା ବଡ଼ ଟେଡ଼ି ପର୍ଯ୍ୟନ୍ତ କିନ୍ନରମାନେ ସବୁକିଛି ସହଜରେ ତିଆରି କରିପାରୁଛନ୍ତି । ଏହି ଟୟର ଦାମ୍ ୫୦ଟଙ୍କାରୁ ଆରମ୍ଭ କରି ୫ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ସବୁ ସାମଗ୍ରୀକୁ ମେଳା, ମହୋତ୍ସବ ଏବଂ ସରକାରୀ ଷ୍ଟଲରେ ବିକ୍ରି କରିବାକୁ ବ୍ୟବସ୍ଥା କରାଯିବାର ବ୍ୟବସ୍ଥା ରହିଛି । ତେବେ କିନ୍ନରମାନେ ଚାହିଁଲେ କୌଣସି ଦୋକାନ କିମ୍ବା ନିଜେ ଦୋକାନ କରି ମଧ୍ୟ ବିକ୍ରି କରିପାରିବେ ବୋଲି କହିଛନ୍ତି ତୁଳସୀ ୱେଲଫେୟାର ଚାରିଟେବୁଲ ଟ୍ରଷ୍ଟର ସଭାପତି ମନୋରଂଜନ ମହାନ୍ତି ।

କଣ୍ଢେଇ ତିଆରି ହୋଇଛି କିନ୍ନରଙ୍କ ପାଇଁ ନୂଆ ଦିଶା ଓ ଆଶା । ଏହି କଣ୍ଢେଇ ତିଆରି କେବଳ କିନ୍ନରଙ୍କ ପାଇଁ ରୋଜଗାରର ରାହା ପାଲଟି ନାହିଁ । ସମ୍ମାନର ସହ ବଂଚିବାର ବାଟ ଦେଖାଇଛି ।