୨୦୧୯ ନିର୍ବାଚନ ପାଇଁ କସରତ । ଭୋଟରଙ୍କୁ ମନେଇବାକୁ ଉଭୟ ଶାସକ ଓ ବିରୋଧୀଙ୍କ ଭିନ୍ନ ଭିନ୍ନ ତରିକା ।

43

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ମନେଇବାକୁ ପ୍ରୟାସ । ଏନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଲୋକଙ୍କ ପାଖରେ ପହଁଚି ସେମାନଙ୍କ ସମସ୍ୟା ବୁଝି ତାହାର ସମାଧାନ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ପ୍ରମୂଖ ଦଳ । ଉଭୟ ଶାସକ ଓ ବିରୋଧୀ ଏନେଇ ବିଗୁଲ୍ ବଜାଇଥିବା ଦେଖିବାକୁ ମିଳିଛି ।

ସାଧାରଣ ନିର୍ବାଚନୀ ଋତୁ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତେ ସରଗରମ ହେବାରେ ଲାଗିଛି । ଭୋଟରଙ୍କୁ ମନେଇବା ପାଇଁ ଶାସକ ଓ ବିରୋଧୀ କରୁଛନ୍ତି କସରତ । ଆଉ ସେଥିରେ ଜୋର ଲଗେଇଛି ପ୍ରଦେଶ କଂଗ୍ରେସ । ରାଜ୍ୟ କଂଗ୍ରେସର ମୁଖିଆ ନିରଞ୍ଜନ ପଟ୍ଟନାୟଙ୍କ ନେତୃତ୍ୱରେ ଆଜିଠୁ ଆରମ୍ଭ ହୋଇଛି ‘ଓଡ଼ିଶା ଜାଗରଣ ଯାତ୍ରା’ । ଭୋଟରଙ୍କୁ ମନେଇବା ପାଇଁ ୩୧୪ ଟି ବ୍ଲକ୍ ୩୬ ହଜାର ବୁଥକୁ ଟାର୍ଗେଟ କରିଛି କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱରରୁ ଏହି ଲୋକସମ୍ପର୍କ ଯାତ୍ରାର ଶୁଭାରମ୍ଭ କରିଛନ୍ତି ପିସିସି ସଭାପତି । ନୂଆ ଭୋଟରଙ୍କୁ ଚିହ୍ନଟ କରିବା ଏବଂ କଂଗ୍ରେସ ପାଇଁ ସଭ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟବ୍ୟାପୀ ୧୪ ଜଣ ଉପସଭାପତି ଓ ୨୪ଜଣ ସାଧାରଣ ସଂପାଦକ ନିୟୋଜିତ କରିଛି କଂଗ୍ରେସ ।

congressସେହିପରି ଗାନ୍ଧୀ ଜୟନ୍ତୀ ଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଅକ୍ଟୋବର ୨ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏକ ମାସବ୍ୟାପୀ ହେବାକୁ ଥିବା ଏହି ଜନ ସମ୍ପର୍କ ପଦଯାତ୍ରାରେ ଲୋକଙ୍କ ପାଖରେ ପହଁଚିବ ବିଜେଡି । ସରକାରଙ୍କ ସଫଳତା ଓ କେନ୍ଦ୍ରର ବିଫଳତା ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରିବାକୁ ନବୀନ ଆହ୍ୱାନ ମଧ୍ୟ କରିଛନ୍ତି ।

ଅନ୍ୟପଟେ ନିର୍ବାଚନ ପାଖେଇ ଆସିବାରୁ ହଠାତ୍ ଏଭଳି କାର୍ଯ୍ୟକ୍ରମ ଆପଣାଉଛନ୍ତି ଶାସକ ଓ ବିରୋଧୀ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ରଖିଛନ୍ତି । କାରଣ ବର୍ତ୍ତମାନ ପୂର୍ବଭାରତକୁ ଦଖଲ କରିବା ପାଇଁ ମୋଦିଙ୍କ ରଣନୀତି ଜୋରଦାର ଚାଲିଥିବା ବେଳେ, ଶାସକ ଦଳ ବିଜେଡି ମଧ୍ୟ ଅନେକ ଯୋଜନାର ସଫଳତାକୁ ପ୍ରସଙ୍ଗ କରି ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଛି । ସେଥି ମଧ୍ୟରୁ କଂଗ୍ରେସର ଏଭଳି ଓଡ଼ିଶା ଜାଗରଣ ଯାତ୍ରା କିଛି ମାତ୍ରାରେ ବିଜେପି ଓ ବିଜେଡି ପାଇଁ ପ୍ରଭାବ ପକାଇବ ବୋଲି ରାଜନୀତି ସମୀକ୍ଷକ ମତ ପ୍ରକାଶ କରଇଛନ୍ତି ।