ପୁରୀରେ ହିଂସାକାଣ୍ଡ ନେଇ ଆମିକସ କ୍ୟୁରି ମର୍ମାହତ : ବିରକ୍ତି ପ୍ରକାଶ କରିବା ସହ ସିସିଟିଭି ଫୁଟେଜ ମାଗିଲେ ଗୋପାଳ ସୁବ୍ରମଣ୍ୟମ

44

କନକ ବ୍ୟୁରୋ : ପୁରୀରେ ହିଂସାକାଣ୍ଡ ନେଇ ଆମିକସ କ୍ୟୁରି ମର୍ମାହତ । ଫୋନ ଯୋଗେ ବିରକ୍ତି ପ୍ରକାଶ କଲେ ଗୋପାଳ ସୁବ୍ରମଣ୍ୟମ । ଗତକାଲି ଧାଡି ଦର୍ଶନକୁ ନେଇ ଗଣ୍ଡଗୋଳ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସହ ଗୋପାଳ ସୁବ୍ରମଣ୍ୟମ ୨ ଥର ଫୋନ ଯୋଗେ କଥା ହୋଇଥିଲେ । ହିଂସାକାଣ୍ଡକୁ ନେଇ ବିରକ୍ତି ପ୍ରକାଶ କରିବା ସହ ସିସିଟିଭି ଫୁଟେଜ ମାଗିଛନ୍ତି । ୨ ଦିନ ଭିତରେ ସିସିଟିଭି ଫୁଟେଜ ଦିଆଯିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

ଯେଉଁମାନେ ଏଭଳି ହିଂସାକାଣ୍ଡ ଘଟାଇଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସେପଟେ ପୁଲିସ ଡିଜି ଆରପି ଶର୍ମା ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟ, ପୁଲିସ ଫାଣ୍ଡି , ସୂଚନା କେନ୍ଦ୍ରକୁ ଯାଇ ବୁଲି ଦେଖିବା ସହ ଶ୍ରୀମନ୍ଦିର ଭିତରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଭଳି କାର୍ଯ୍ୟାକଳାପକୁ ନିନ୍ଦା କରିବା ସହ ଶାନ୍ତି ଫେରାଇ ଆଣିବାକୁ ନିବେଦନ କରିଛନ୍ତି ଡିଜି । ପ୍ରମାଣ ଯୋଗାଡ କରାଯାଉଛି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜି କହିଛନ୍ତି ।

ସେପଟେ ସ୍ୱାଭାବିକ ହେଉଛି ଶ୍ରୀକ୍ଷେତ୍ର । ପୁରୀ ବଡଦାଣ୍ଡରୁ ୧୪୪ ଧାରା ହଟିବା ପରେ ଆଜି ଶ୍ରଦ୍ଧାଳୁମାନେ ଶାନ୍ତି ଶୃଙ୍ଖଳାର ସହ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଆଜି ବି ଧାଡି ଦର୍ଶନରେ ଚାଲିଛି ମହାପ୍ରଭୁଙ୍କ ଦର୍ଶନ । ଜିଲ୍ଲାପାଳ ପ୍ରଶାସନ ପକ୍ଷରୁ ସ୍ଥିତିର ଅନୁଧ୍ୟାନ କରାଯାଉଛି । ଗତକାଲି ହିଂସାକାଣ୍ଡର ସିସିଟିଭି ଫୁଟେଜ ଯାଂଚ କରାଯାଉଛି । ସେପଟେ ଆନ୍ଦୋଳନ ଡାକରା ଦେଇଥିବା ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ଶାନ୍ତି ଫେରିଆସିଥିବାରୁ ଦୀପ ଦାନ କରିଛନ୍ତିି । ଗତକାଲିର ଦିନ ତମାମ ବଡଦାଣ୍ଡରେ ହିଂସାକାଣ୍ଡ ପରେ ସଂଧ୍ୟାରେ ପରିସ୍ଥିତିର ସମାଧାନ ପାଇଁ ଶାନ୍ତି କମିଟି ବୈଠକ ବସିଥିଲା ।

ଏହି ବୈଠକରେ ସମାଧାନର ବାଟ ବାହରିଛି । ପୁରୀ ଲୋକମାନଙ୍କ ପାଇଁ କଟକଣା ହଟାଇ ଦିଆଯାଇଛି । ଏଣିକି ପୁରୀ ଲୋକମାନେ ଧାଡ଼ିଦର୍ଶନରେ ନଆସି ମନ୍ଦିରର ୪ ଦ୍ୱାର ଦେଇ ଆସିପାରିବେ । କିନ୍ତୁ ଏଥିପାଇଁ ସେମାନଙ୍କୁ ପରିଚୟ ପତ୍ର ଦେଖାଇବାକୁ ପଡିବ । ଏନେଇ ଲୋକଙ୍କୁ ସଚେତନ ମଧ୍ୟ କରାଯିବ । ଅନ୍ୟପଟେ ସେବାୟତମାନଙ୍କ ପରିବାର ଲୋକ ବିନା ବାଧାରେ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ । ସେମାନଙ୍କ ପାଇଁ କୌଣସି ପରିଚୟପତ୍ରର ଆବଶ୍ୟକତା ନାହିଁ ।