ପ୍ରଚାର ସରିବାର ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ୍ କ୍ୟାମ୍ପେନ: କହିଲେ, ମହିଳାଙ୍କୁ ବିଧାୟକ ଭାବେ ଦେଖିବାକୁ ଚାହେଁ

71

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ତାରିଖ ପାଖେଇ ଆସୁଥିବାବେଳେ ସରିସରି ଆସୁଛି ପ୍ରଚାର । ନିର୍ବାଚନୀ ପ୍ରଚାର ଶେଷ ହେବାକୁ ଆଉ ଦିନଟିଏ ବାକି । ଏହା ପୂର୍ବରୁ ଭର୍ଚୁଆଲରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିବାକୁ ଧାମନଗରର ୧୩ଟି ସ୍ଥାନରେ ଭର୍ଚୁଆଲ ସଭାର ଆୟୋଜନ କରାଯାଇଥିଲା । ପ୍ରତି ନିର୍ବାଚନୀ ସଭା ପଡିଆରେ ଲଗାଯାଇଥିଲା ବଡବଡ ଏଲଇଡି । ୧୩ଟି ମଂଚ କରାଯାଇଥିବାବେଳେ ପ୍ରତି ସଭାସ୍ଥଳରେ ୩ରୁ ୪ ହଜାର କର୍ମୀଙ୍କୁ ଏକଜୁଟ କରିବା ପାଇଁ ଦଳୀୟ ନେତାମାନଙ୍କୁ ଟାର୍ଗେଟ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ମ୍ୟାଜିକ ଦଳୀୟ ପ୍ରାର୍ଥୀ ଅବନ୍ତୀଙ୍କ ପାଇଁ ବରଦାନ ହେବ ବୋଲି ବିଜେଡି ଶିବିର ଆଶାବାଦୀ ।

ଧାମନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇଦିନ ମାରାଥନ ପ୍ରଚାର କରିଯିବା ପରେ ବିଜେପି ଶିବିର ବେଶ ଉତ୍ସାହିତ ଅଛି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପ୍ରଚାର ମଧ୍ୟ ବିଜେପି ନେତା ଓ କର୍ମୀଙ୍କ ମନୋବଳକୁ ବଢାଇ ଦେଇଛି । ବାପାଙ୍କ ବିୟୋଗ ପରେ ପ୍ରଥମଥର ନିର୍ବାଚନ ଲଢୁଥିବା ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଗାଁଗାଁ ବୁଲି ପ୍ରଚାର କରୁଛନ୍ତି । କୁହାଯାଉଛି ଧାମନଗରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ ଏବେ ବିଜେପି ପ୍ରାର୍ଥୀ ସୂରଜଙ୍କ ପାଇଁ ବଡ ରଣନୀତିକାର ପାଲଟିଛନ୍ତି । ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ନିଜସ୍ୱ ସମର୍ଥନ ସହ ମନମୋହନ ସାମଲଙ୍କ ସମର୍ଥନ ସୂରଜଙ୍କ ପଛରେ ରହିଛି । କାଲି ଧାମନଗର ପ୍ରଚାରର ଶେଷଦିନରେ ପୁଣିଥରେ କେନ୍ଦ୍ରମନ୍ତ୍ରୀ ସୂରଜଙ୍କ ପାଇଁ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି ।

ପ୍ରଥମଥର ପାଇଁ ଉପନିର୍ବାଚନରେ ଖୋଲାଖୋଲି ବିଦ୍ରୋହର ସମ୍ମୁଖୀନ ହୋଇଥିବା ଶାସକ ବିଜେଡିର ରଣକୌଶଳ ଉପରେ ସମସ୍ତଙ୍କ ନଜର ରହିଛି । ବିଜେଡିର ମାଳମାଳ ମନ୍ତ୍ରୀ, ବିଧାୟକ ଓ ନେତା ଗତ ଦୁଇ ସପ୍ତାହ ହେଲାଣି ଧାମନଗରରେ ଡେରା ପକାଇଛନ୍ତି ।

ଧାମନଗର ଭୋଟ୍ ଗଣିତ

– ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀଙ୍କୁ ମିଳିଥିଲା ୮୦ ହଜାର ୧୧୧ ଖଣ୍ଡ ଭୋଟ୍

– ସେତେବେଳେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସ ୭୫ ହଜାର ୪୫୯ ଖଣ୍ଡ ଭୋଟ ପାଇଥିଲେ

– କଂଗ୍ରେସ ପ୍ରାର୍ଥୀ ମାତ୍ର ୭ ହଜାର ୨୫୮ ଖଣ୍ଡ ଭୋଟ୍ରେ ସୀମିତ ରହିଥିଲେ

– କିନ୍ତୁ ଗତ ପଂଚାୟତ ନିର୍ବାଚନରେ ଏହି ଏହି ଚିତ୍ର ପୁରା ଓଲଟି ଯାଇଥିଲା

– ସମସ୍ତ ଜୋନ୍ ଓ ଏନଏସିରେ ବିଜେଡି ପ୍ରାୟ ୨୮ ହଜାର ଭୋଟରେ ବିଜେପିଠୁ ଆଗୁଆ ଥିଲା

– ଉପନିର୍ବାଚନରେ ପଂଚାୟତ ଫଳାଫଳ ଦୋହରାଇବାକୁ ବିଜେଡି ଶିବିର ଉଦ୍ୟମ କରୁଛି

ଏଥର କିନ୍ତୁ ବିଜେଡି ରାସ୍ତାରେ କଂଟା ହୋଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ । ଯଦି ପ୍ରତି ପଂଚାୟତରୁ ରାଜୁ କିଛିକିଛି ବିଜେଡି ଭୋଟ୍ କାଟନ୍ତି ତେବେ ବିଜେପି ପାଇଁ ରାସ୍ତା ପରିଷ୍କାର ହୋଇଯିବ । ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ବିଜେପି ପ୍ରାର୍ଥୀ ସୂରଜଙ୍କ ସପକ୍ଷରେ ସମବେଦନାର ଭୋଟ୍ ମଧ୍ୟ ରହିଛି ।