ମୁଁ ମୃତ୍ୟୁ ମୁହଁରୁ ଅଳ୍ପରେ ବଞ୍ଚିଗଲି, ହେଲେ ମୋ ଆଖି ଆଗରେ ଜଣେ ପରେ ଜଣେ ମୃତ୍ୟୁର ପାଟିରେ ପଶିଯାଉଥିଲେ…

441

କନକ ବ୍ୟୁରୋ: ସମୟ ସନ୍ଧ୍ୟା ସାଢେ ୬ଟା । ଛଟ୍ ପୂଜା ପାଇଁ ସମସ୍ତେ ଥିଲେ ଖୁସିରେ । ପର୍ବ ପାଇଁ ଉତ୍ସବମୁଖର ଥିଲା ସାରା ଦେଶ । ଯେଉଁଠି ଯେଉଁଠି ଏହି ପର୍ବ ପାଳନ ହେଉଥିଲା ସେହି ପରିବେଶ ପୂରା ଭିନ୍ନ ଥିଲା । ଠିକ୍ ସେମିତି ଉତ୍ସବ ମୁଖର ଥିଲା ଗୁଜରାଟ ମୁର୍ବି ମଚ୍ଛୁ ନଦୀକୂଳ । ଲୋକେ ଝୁଲାପୋଲର ମଜା ନେଉଥିଲେ । ସେଲ୍ଫି ଉଠାଉଥିଲେ । କିଏ ପରିବାର ସହ ତ କିଏ ସାଙ୍ଗସାଥିଙ୍କ ସହ ପୋଲ ଉପରେ ବୁଲାବୁଲି କରୁଥିଲା । ହେଲେ ହଠାତ୍ ସମସ୍ତଙ୍କ ଖୁସି ପାଣିରେ ମିଶିଗଲା । ଜୀବନ ନଦୀରେ ବୁଡିଗଲା । ଚାହୁଁ ଚାହୁଁ ଜଣେ ପରେ ଜଣେ ନଦୀର ଗର୍ଭକୁ ଖସିପଡିଲେ । ଜଣେ କି ଦୁଇ ଜଣ ନୁହେଁ ଏକାଥରେ ୪୦୦ରୁ ଅଧିକ ଲୋକ ଝୁଲା ପୋଲରୁ ନଦୀରେ ପଡିଗଲେ । ଛାତିଥରା ଦୁର୍ଘଟଣାରେ ପ୍ରାୟ ୧୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ଓ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଜଣେ ଆହତ ବଖାଣିଛନ୍ତି ବ୍ରିଜ୍ ଭୁଶୁଡିବା ବେଳର ଲୋମଟାଙ୍କୁରା କାହାଣୀ ।

ଦୁର୍ଘଟଣା ହେବା ଆଗରୁ ପୋଲ ଛିଡିବାର କିଛି ଶବ୍ଦ ହେଲା । ଥରେ ଦୁଇ ଥର ଶୁଭିଲା । ମାତ୍ର କେହି କିଛି ବୁଝିବା ଆଗରୁ ପୋଲ ଛିଡିଗଲା, ଛାତିରୁ ଜୀବନ କିଛି ସମୟ ପାଇଁ ବାହାରିଗଲା ଭଳି ଲାଗିଲା, ନିଶ୍ୱାସ ଅଟକିଗଲା ଭଳି ମନେହେଲା । ଆଉ ସମସ୍ତେ ନଦୀର ଆଁ ଭିତରେ ପଡିଗଲେ ।

ଦୁର୍ଘଟଣା ବେଳେ ମୁଁ ବ୍ରିଜ ମୁଣ୍ଡରେ ଥିଲି । ଯେଉଁମାନେ ମଝାମଝିରେ ଥିଲେ ସମସ୍ତେ ପାଣିରେ ପଡିଗଲେ । ହେଲେ ମୁଁ ପାଖରେ ଥିହା ଏକ ଗଛର ଡାଳ ଧରି ଉପରକୁ ଉଠି ଆସିଲି । ମୋ ଜୀବନ ବଞ୍ଚିଗଲା, କିନ୍ତୁ ଅନେକ ଲୋକ ମୋ ଆଖି ସାମ୍ନାରେ ଜୀବନ ହାରିଲେ । ଚାହିଁ କି ବି କିଛି କରିହେଲାନି । ଏତେ ବଡ ଅଘଟଣ, ମୃତ୍ୟୁ ଆଖି ଆଗରେ ଜୀବନକୁ କେମିତି କବଳିତ କରେ ତାହା ଦେଖି ସେଠାକାର ଲୋକଙ୍କ ଲୋମ ଟାଙ୍କୁରି ଯାଉଥିଲା ବୋଲି କରୁଣ କାହାଣୀ ବଖାଣିଛନ୍ତି ସେ ।

ତେବେ ପୋଲ ଅଘଟଣର ଠିକ୍ ପୂର୍ବରୁ କିଛି ଯୁବକ ପୋଲ ଉପରେ ମଜା ମସ୍ତି କରୁଥିବା ସେ କହିଛନ୍ତି । ପ୍ରାୟ ୧୫ରୁ ୨୦ ଯୁବକ ଉନ୍ମତ କାଣ୍ଡ କରିଥିଲେ । ପୋଲର ତାରକୁ ଧରି ହଲାଉଥିଲେ, ନାଚୁଥିଲେ । ଆଉ ତାପରେ ହଠାତ୍ ପୋଲଟି ଜୋରସୋରରେ ଛିଡି ପଡିଲା ।