ଟୋଲ ପ୍ଲାଜା କର୍ମଚାରୀଙ୍କ ସହ ଦ ଗ୍ରେଟ ଖଲିଙ୍କ ଝଗଡା । ଆଇଡି କାର୍ଡ ମାଗିବାରୁ ମାଡ ମାରିଥିବା ଅଭିଯୋଗ, ଦେଖନ୍ତୁ ଭିଡ଼ିଓ ।

343

କନକ ବ୍ୟୁରୋ : ପୁଣିଥରେ ଚର୍ଚ୍ଚାରେ ଡବ୍ଲୁଡବ୍ଲୁଇର ପୂର୍ବତନ ଚାମ୍ପିୟନ ଦ ଗ୍ରେଟ ଖଲି । ପଞ୍ଜାବରେ ଦଲ୍ଲୀପ ସିଂ ରାଣା ଭାବେ ଜଣାଶୁଣା ଦ ଗ୍ରେଟ୍ ଖଲି ଟୋଲ ପ୍ଲାଜାର ଜଣେ କର୍ମଚାରୀଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ଆସିଛି । ଟୋଲ କର୍ମଚାରୀଙ୍କ ସହ ଦ ଗ୍ରେଟ୍ ଖଲିଙ୍କର ଝଗଡାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନା ମୁତାବକ, ଟୋଲ ପ୍ଲାଜାରେ ଦ ଗ୍ରେଟ୍ ଖଲିଙ୍କୁ ଆଇଡି କାର୍ଡ ମାଗିବାରୁ କର୍ମଚାରୀଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ଅନ୍ୟପଟେ ଖଲି କହିଛନ୍ତି ତାଙ୍କୁ ଟୋଲ ପ୍ଲାଜାରେ ହଇରାଣ କରାଯାଇଛି । ଟୋଲ ପ୍ଲାଜାରେ ଜଣେ କର୍ମଚାରୀ ଫଟୋ ଉଠାଇବାକୁ କାର ଭିତରକୁ ପଶିବାକୁ ପ୍ରୟାସ କରିଥିଲେ । ଖଲି ଏହାକୁ ବାରଣ କରିବାରୁ ପରେ ଏଭଳି ସ୍ଥିତି ଉପୁଜିଥିଲା ।

ଏସବୁ ଭିତରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖଲିଙ୍କୁ ବୁଝାସୁଝା କରିବାକୁ ପ୍ରୟାସ କରିଥିଲେ । ପରେ ଖଲି କାରରୁ ବାହାରକୁ ଆସି ବ୍ୟାରିକେଡ ହଟାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଜଣେ ଟୋଲ କର୍ମଚାରୀ ଅଟକାଇବାକୁ ତାଙ୍କୁ ମଧ୍ୟ ହାତରେ ଠେଲି ଦେଇଥିଲେ । ପରେ କାର ନେଇ ଟୋଲ ପ୍ଲାଜାରୁ ଚାଲି ଯାଇଥିଲେ । ରେସଲର ଦୁନିଆରୁ ଫେରିବା ପରେ ଏବେ ଖଲି ବିଜେପିରେ ସାମିଲ ହୋଇଛନ୍ତି । ତେବେ ଏଯାବତ ଖଲି କୌଣସି ନିର୍ବାଚନ ଲଢିନାହାନ୍ତି ।