ସଂସଦରେ ଶେଷ ହେଲା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ: ସେପଟେ ଅସାମ୍ବିଧାନିକ ବୟାନ ଦେଇଥିବା ନେଇ ରାହୁଲଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ

102

କନକ ବ୍ୟୁରୋ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନୋଟିସ । ସଂସଦରେ ସ୍ୱାଧିକାର ଭଙ୍ଗ ଅଭିଯୋଗରେ ନୋଟିସ କରିଛନ୍ତି ଲୋକସଭା ସଚିବାଳୟ । ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅଭିଯୋଗକ୍ରମେ ଫେବୃଆରୀ ୧୦ ତାରିଖରେ ରାହୁଲ ଗାନ୍ଧୀଙ୍କୁ ଇ-ମେଲ ଜରିଆରେ ନୋଟିସ ହୋଇଛି । ବୁଧବାର ସୁଦ୍ଧା ଏହାର ଜବାବ ରଖିବାକୁ କୁହାଯାଇଛି । ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେଉଥିଲା । ଏହି ସମୟରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆଦାନୀଙ୍କୁ ନେଇ କିଛି ମନ୍ତବ୍ୟ ରଖିଥିଲେ । ଯାହା ଉପରେ ଆପତି ଦର୍ଶାଇ ସଂସଦର ରେକର୍ଡରୁ କିଛି ଅଂଶ ହଟାଇ ଦିଆଯାଇଛି । ଏହାବାଦ ଦଳର ସଭାପତି ତଥା ସାଂସଦ ମଲ୍ଲିକାର୍ଜୁନ ଖାଡଗେଙ୍କ ବିରୋଧରେ ମଧ୍ୟ ସମାନ ପ୍ରକାର ଅଭିଯୋଗ ରହିଛି । ତେବେ ଖାଡଗେ କହିଛନ୍ତି, ଯାହା ରାହୁଲ ଗାନ୍ଧୀ କହିଛନ୍ତି ତାହା ସର୍ବସାଧାରଣରେ ରହିଛି । ସେ କୌଣସି ଅଂସାମ୍ବିଧାନିକ ଶବ୍ଦ ବ୍ୟବହାର କରିନାହାନ୍ତି । ରାହୁଲ ଗାନ୍ଧୀ ତାରିଖ ଅନୁଯାୟୀ ଜବାବ ଦେବେ ବୋଲି ସେ କହିଛନ୍ତି । ସେପଟେ ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ତାଙ୍କର ଅପମାନ କରିଛନ୍ତି । କିନ୍ତୁ ତାଙ୍କୁ ଅପମାନ କଲେ କିଛି ମିଳିବ ନାହିଁ । ସମସ୍ତେ ସବୁକଥା ଦେଖୁଛନ୍ତି ବୋଲି ୱାଏନାଡ ଗସ୍ତରେ ଥିବା ବେଳେ ସେ ଆଜି ଏହା କହିଛନ୍ତି ।