ବିବାଦରେ ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲୀ । ମଦ ନିଶାରେ ପତ୍ନୀଙ୍କୁ ମାଡ ମାରିଥିବା ଅଭିଯୋଗ ।

101

କନକ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲୀଙ୍କ ଅଡୁଆ ବଢିପାରେ । କାହିଁକି ନା ପୁଣିଥରେ ବିବାଦ ସହ ଛନ୍ଦି ହୋଇଛନ୍ତି ଏହି ପୂର୍ବତନ ଭାରତୀୟ କ୍ରିକେଟର । ବିନୋଦ କାମ୍ବଲୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ଉପରେ ଥାନାରେ ଅଭିଯୋଗ କରିବା ସହିତ ତାଙ୍କୁ ସେ ମାରପିଟ୍ କରୁଥିବା ଆରୋପ ଲଗାଇଛନ୍ତି । ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ସେ ଏହି ଅଭିଯୋଗ କରିଛନ୍ତି ।

ବିନୋଦ କାମ୍ବଲୀଙ୍କ ପତ୍ନୀଙ୍କ କହିବା କଥା, ତାଙ୍କ ସ୍ୱାମୀ ନିଶାରେ ତାଙ୍କ ଉପରକୁ କୁକିଂ ପ୍ୟାନର ହ୍ୟାଣ୍ଡଲ ଫୋପାଡି ଦେଇଥିଲେ । ଯାହା ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତେବେ ଶୁକ୍ରବାର ଦିନ ଦ୍ୱିପହର ୧ରୁ ସାଢେ ୧ଟା ଭିତରେ ଏହି ଘଟଣା ଘଟିଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ତେବେ ମଦ ନିଶାରେ ସେ ଏପରି କରିଥିବା ଜଣାପଡିଛି । ବାନ୍ଦ୍ରା ପୋଲିସର ଜଣେ ଅଧିକାରୀଙ୍କ କହିବା ମୁତାବକ, ପୋଲିସ ତାଙ୍କ ଘରେ ପହଞ୍ଚିବା ପୂର୍ବରୁ ବିନୋଦ କାମ୍ବଲୀ ନିଜ ପତ୍ନୀଙ୍କୁ ନେଇ ହସ୍ପିଟାଲ ଯାଇସାରିଥିଲେ । ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଛି ।

ସୂଚନାଯୋଗ୍ୟ ଯେ, ବିବାଦ ସହ ବିନୋଦ କାମ୍ବଲୀଙ୍କ ପୁରୁଣା ସମ୍ପର୍କ ରହିଆସିଛି । କିଛି ଦିନ ତଳେ ସେ ତାଙ୍କର ଏକ ଇଣ୍ଟରଭ୍ୟୁରେ ଚାକିରି ସମ୍ବନ୍ଧରେ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ତାଙ୍କ ପାଖରେ ଏବେ କୌଣସି କାମ ନାହିଁ, ବିସିସିଆଇର ପେନସନ ଭରସାରେ ସେ ଏବେ ବଞ୍ଚିଛନ୍ତି ।