ଏନଡିଏ ସରକାର ଓଡ଼ିଶାକୁ ସାବତ ମାଆ ଭଳି ଦେଖୁଛନ୍ତି । ରେଳ ବଜେଟରେ ଓଡ଼ିଶାକୁ ଅବହେଳା କରାଯାଇଥିବା ଅଭିଯୋଗ ଆଣିଲା ବିଜେଡି

3,702

କନକ ବ୍ୟୁରୋ : ରେଳ ବଜେଟରେ ଓଡ଼ିଶାକୁ ଅବହେଳା କରାଯାଇଥିବା ଅଭିଯୋଗ ଆଣିଲା ବିଜେଡି । ଦଳର ମୁଖପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଏନଡିଏ ସରକାର ଓଡ଼ିଶାକୁ ସାବତ ମାଆ ଭଳି ଦେଖୁଛନ୍ତି । ରେଳବାଇକୁ ପ୍ରତିବର୍ଷ ୨୦ରୁ ୨୨ ହଜାର କୋଟି ଟଙ୍କା ରାଜସ୍ୱ ଦେଉଛି ଓଡ଼ିଶା । ୯ ବର୍ଷରେ ପାଖାପାଖି ୨ ଲକ୍ଷ କୋଟି ଟଙ୍କା ଦିଆଯାଇଛି । କିନ୍ତୁ ଦୁଃଖର କଥା, ଆଦିବାସୀ ଅଧ୍ୟୁଷିତ ଜିଲ୍ଲାକୁ ଏହି ୯ ବର୍ଷରେ କେଉଁଠିକୁ ବି ରେଳ ସଂଯୋଗ ହୋଇନାହିଁ । ୩୦ ଜିଲ୍ଲାରୁ ମାତ୍ର ଗୋଟିଏ ଜିଲ୍ଲା ନୟାଗଡ଼କୁ ଗୋଟିଏ ଟ୍ରେନ ଗଡ଼ିଛି । କେନ୍ଦ୍ରାପଡ଼ାକୁ ଟ୍ରେନ ଗଡେଇ ମିଠା ବାଣ୍ଟିଲେ, ହେଲେ ଲାଇନ ବିଛା ହେବାର ୨ ବର୍ଷ ପରେ ମଧ୍ୟ ଟ୍ରେନ ଗଡି ପାରିଲା ନାହିଁ ବୋଲି ଦଳ ଅଭିଯୋଗ କରିଛି ।

ଐତିହ୍ୟ ସ୍ଥଳୀ କୋଣାର୍କକୁ ରେଳ ସଂଯୋଗ ହୋଇପାରିଲା ନାହିଁ । ବରଗଡ଼-ନୂଆପଡ଼ାକୁ ଟ୍ରେନ, ଗୁଣୁପୁର ଥେରୁବାଲି ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛି ବିଜେଡି । ଏହା ସହ ଦଳ ପକ୍ଷରୁ କୁହାଯାଇଛି, ଓଡ଼ିଶାରେ ଏହି ୯ ବର୍ଷରେ ଗୋଟିଏ ବି ରେଳ ଶିଳ୍ପ ହେଲା ନାହିଁ, କି ଓଡ଼ିଶାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ମିଳିଲା ନାହିଁ । ସୀତଳାପଲ୍ଲୀ ରେଳ ୱାଗନ କାରଖାନା ପାଇଁ ଅନୁଦାନ ଆସିଲା, ହେଲେ କାମ ହୋଇପାରିଲା ନାହିଁ ବୋଲି ଅଭିଯୋଗ କରିଛି ବିଜେଡି । ଗତକାଲି ରେଳମନ୍ତ୍ରୀ କହିଥିଲେ, ଯେତିକି ରାଜ୍ୟ ସରକାର ମାଗିଥିଲେ, ତାହାଠୁ ଅଧିକ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ରେଳ ବଜେଟରେ ଓଡିଶାକୁ ୧୦ହଜାର ୧୨ କୋଟି ଟଙ୍କା ଦିଆଯାଇଥିବା କହିଥିଲେ ଅଶ୍ୱିନୀ ବୈଷ୍ଣବ ।