ଗରମରୁ ମୁକ୍ତି ପାଇଁ ଚିଡ଼ିଆଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା । ପଶୁପକ୍ଷୀଙ୍କ ପାଇଁ ତିଆରି ହୋଇଛି ପୋଖରୀ, ଖୁଆଡ଼ରେ ଲାଗିଛି ଫ୍ୟାନ ଓ କୁଲର

100

କନକ ବ୍ୟୁରୋ : ତାତିରେ ଡହଳବିକଳ ଜୀବଜନ୍ତୁ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଛନ୍ତି ମଣିଷଠୁ ନେଇ ପଶୁପକ୍ଷୀ । ଦେଶର ବିଭିନ୍ନ ଚିଡ଼ିଆଖାନାରେ ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।  ଖରାରୁ ମୁକ୍ତି ପାଇଁ ଥଣ୍ଡା ପାଣିରେ ଗାଧୋଉଛି ହାତୀ । ବାଘ ଓ ଅନ୍ୟ ଜୀବଜନ୍ତୁଙ୍କୁ ଛାଇ ଦେବାକୁ ସେଡ୍ ର ବ୍ୟବସ୍ଥା କରାଯାଇଛି । ହିଟୱେଭରୁ ରକ୍ଷା ପାଇଁ ପୋଖରୀ ସହ ପାଣି ସିଂଚନର ବ୍ୟବସ୍ଥା ମଧ୍ୟ କରାଯାଇଛି । ହିମାଲୟନ ଭାଲୁ ଓ ସରିସୃପଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

ପଶ୍ଚିମବଙ୍ଗରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବେଙ୍ଗଲ ସଫାରିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଠି ପଶୁପକ୍ଷୀଙ୍କଠାରୁ ନେଇ ପର୍ଯ୍ୟଟକଙ୍କ ସୁବିଧାର ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଇଛି । ସିଲିଗୁଡିଇ ଅଂଚଳରେ ବର୍ତମାନ ପାରଦ ୪୦ ଡିଗ୍ରୀ ପାଖାପାଖି ରହୁଛି । ତେଣୁ ବନ୍ୟଜନ୍ତୁଙ୍କୁ ତାତିରୁ ମୁକ୍ତି ଦେବାକୁ ପୋଖରୀରେ ଥଣ୍ଡା ପାଣିର ବ୍ୟବସ୍ଥା କରାଯାଇଛି । ପଶୁପକ୍ଷୀଙ୍କ ଖୁଆଡ଼ରେ ଫ୍ୟାନ ଓ କୁଲର ମଧ୍ୟ ଲଗାଯାଇଛି । ଏଥିସହ ଗରମରୁ ମୁକ୍ତି ପାଇଁ ବିଭିନ୍ନ ଖୁଆଡରେ ବରଫ ଖଣ୍ଡ ମଧ୍ୟ ରଖାଯାଉଛି । ସେପଟେ ପ୍ରବଳ ଗରମ ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ କମିଥିବା କହିଛନ୍ତି ଚିଡ଼ିଆଖାନା କର୍ତୃପକ୍ଷ ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ପଶୁପକ୍ଷୀଙ୍କ ସୁରକ୍ଷା ପ୍ରତି ସବୁ ସମୟରେ ସଜାଗ ଅଛନ୍ତି ଚିଡ଼ିଆଖାନାରେ କର୍ମଚାରୀ ।