ଆଜି ଓଡିଶା ଆସୁଛନ୍ତି ମୋଦୀ । ରାଜଧାନୀରେ ରାତ୍ରିଯାପନ ପରେ କାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ସମାବେଶ । ଅପରାହ୍ନରେ ଆସିବେ ଜେପି ନଡ୍ଡା । 

128

କନକ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନ ପ୍ରଚାର ପାଇଁ ଆଜି ରାତି ସାଢ଼େ ୯ଟାରେ ଓଡ଼ିଶାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ ରାତି କାଟିବା ପରେ କାଲି ବ୍ରହ୍ମପୁରରେ ନିର୍ବାଚନୀ ସଭାରେ ଯୋଗ ଦେବେ ମୋଦୀ । ଏଥିସହ ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ମଧ୍ୟ ସାମିଲ ହେବେ ଏବଂ ଏହାର ୩ ଦିନ ପରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ୧୦ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ସୋ କରିବା ନେଇ ସୂଚନା ମିଳିଛି ।

ଏକାମ୍ର, ଉତ୍ତର ଓ ମଧ୍ୟ ନିର୍ବାଚନ ମଣ୍ଡଳୀରେ ରାଲି କରିବା କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ଆସିବା ପୂର୍ବରୁ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି ପ୍ରଧାନମନ୍ତ୍ରୀ  । ଓଡ଼ିଆ ଭାଷା ଓ ଅସ୍ମିତା ଏବେ ସଂକଟରେ କହି ଜୋରଦାର ଲଢ଼େଇ ପାଇଁ ସଙ୍କେତ ଦେଇ ସାରିଛନ୍ତି । ଏପରିକି ଓଡ଼ିଶାର ବିକାଶ ପାଇଁ ବିଜେପିକୁ ୫ ବର୍ଷ ସୁଯୋଗ ଦେବା ଆବଶ୍ୟକ ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ । ୭ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ୪ ଦିନ ଓଡ଼ିଶାରେ ରହିବା, ୨ ରାତି ଓଡ଼ିଶାରେ କଟାଇ ରଣନୀତିକୁ ଶାଣୀତ କରିବା, ରାଜ୍ୟ ରାଜନୀତିକୁ ସରଗରମ କରିଦେବ ବୋଲି କୁହାଯାଉଛି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ଜାରି କରିବା କାର୍ଯ୍ୟକ୍ରମ ରହିଛି ।

ପଶ୍ଚିମବଙ୍ଗ ଭଳି ଏଥର ଓଡ଼ିଶା ଉପରେ ଫୋକସ କରିଛି ବିଜେପି । କେନ୍ଦ୍ରୀୟ ନେତାମାନେ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓଡ଼ିଶାରେ ଥିବା ବେଳେ ମୋଦୀ ଏବଂ ନଡ୍ଡାଙ୍କ ଗସ୍ତ ବିଜେପି କର୍ମୀଙ୍କୁ ଉତ୍ସାହିତ କରିଛି । ବିଶେଷ କରି ଦକ୍ଷିଣ ଓଡ଼ିଶା ଉପରେ ବିଜେପି ଫୋକସ କରିଛି । ତେବେ କଣ ରହିବ ମୋଦୀଙ୍କ ଆଭିମୁଖ୍ୟ ତା ଉପରେ ସମସ୍ତଙ୍କ ନଜର ରହିଛି ।