ହେଟ୍ ମେସେଜ କରୁଥିଲେ ସାବଧାନ । ୩ ମାସରେ ୨ କୋଟିରୁ ଅଧିକ ହ୍ୱାଟ୍ସଆପ ଆକାଉଂଟ ବ୍ଲକ, ଆଗକୁ ଆହୁରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମେଟାର ନିଷ୍ପତି

183

କନକ ବ୍ୟୁରୋ : ଏବେ ହ୍ୱାଟ୍ସଆପ ମାଧ୍ୟମରେ ଲୋକଙ୍କୁ ଠକିବାକୁ ଚେଷ୍ଟା କଲେ ବନ୍ଦ ହୋଇଯିବ ଆକାଉଂଟ୍ । ଚଳିତ ବର୍ଷ ପ୍ରଥମ ତିନି ମାସ ମଧ୍ୟରେ ୨ କୋଟିରୁ ଅଧିକ ଆକାଉଂଟକୁ ବ୍ଲକ କରିଛି କମ୍ପାନି । ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମ୍ପାନି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆଗକୁ ମଧ୍ୟ ଏଭଳି ସ୍କାମ କରୁଥିବା ଆକାଉଂଟକୁ ବନ୍ଦ କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ମିଳିଥିବା ରିପୋର୍ଟ ଅନୁସାରେ ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ୨ କୋଟି ୨୩ ଲକ୍ଷ ୧୦ ହଜାର ଆକାଉଂଟକୁ ବନ୍ଦ କରାଯାଇଛି । ତେଣୁ ହ୍ୱାଟ୍ସଆପ ମାଧ୍ୟମରେ ଦେଶରେ କେତେ ସ୍କାମ ହେଉଛି ତାହା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ନିକଟରେ ଜାତୀୟ ସୁରକ୍ଷା ପାଇଁ ହ୍ୱାଟସଆପ ବ୍ୟବହାରକାରୀଙ୍କ ପରିଚୟ ଜାଣିବାକୁ ମେଟାକୁ କହିଥିଲେ କେନ୍ଦ୍ର ସରକାର । ଆଇଟି ନିୟମ ୨୦୨୧ ଅନୁସାରେ ହ୍ୱାଟସଆପରୁ ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ସନ ସିକ୍ୟୁରିଟି ବ୍ୟବସ୍ଥା ହଟାଇବକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଆବେଦନ କରାଯାଇଥିଲା । ଏହା ଦ୍ୱାରା ଚାଟର ଯାଂଚ ଓ ପ୍ରକୃତରେ କିଏ ଚାଟ କରିଛି ତାହା ଜାଣିବାକୁ ସୁବିଧା ହେବ । କିନ୍ତୁ ଏହାକୁ ବିରୋଧ କରୁଛି କମ୍ପାନୀ । ଏହାକୁ ହଟାଗଲେ ଭାରତରେ ସେବା ବନ୍ଦ କରିବାକୁ ମେଟା ପକ୍ଷରୁ ଚେତାବନୀ ଦିଆଯାଇଛି    ।