ବାରମ୍ବାର ଗୁହାରୀ ପରେ ବି ଅଭିଯୋଗ ଶୁଣିଲାନି ପ୍ରଶାସନ: ଶେଷରେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

112

କନକ ବ୍ୟୁରୋ: ଗର୍ଭବତୀଙ୍କୁ ମେଡିକାଲ ନେବା ପାଇଁ ରାସ୍ତା ନାହିଁ । ଗାଁ କୁ ଖଣ୍ଡେ ରାସ୍ତା ପାଇଁ ସରକାରଙ୍କୁ ନିବେଦନ କରୁଛନ୍ତି ଅଙ୍ଗନୱାଡି ଦିଦି । ଯାତାୟତ ପାଇଁ ରାସ୍ତା ନ ଥିବାରୁ ପୁରୁଷଙ୍କ ସହ ମୁଣ୍ଡରେ ପଗଡ଼ି ବାନ୍ଧି ଗାଁ ରାସ୍ତା କାମ କରୁଛନ୍ତି ମହିଳା ଓ ଶିଶୁ । ଗୁରିଗୁଡା ଗ୍ରାମରୁ ଅନ୍ତରବା ପଂଚାୟତର ଦୂର ମାତ୍ର ୫ କିଲୋମିଟର । ରାସ୍ତା ନିର୍ମାଣ ପାଇଁ ଗାଁ ଲୋକେ ସରପଂଚଙ୍କ ଠୁ ଆରମ୍ଭ କରି ଜିଲ୍ଲାପାଳ, ବିଧାୟକ ସମସ୍ତଙ୍କୁ ନିବେଦନ କରିଥିଲେ ମଧ୍ୟ କେହି ତାଙ୍କ ଦୁଖଃ ଶୁଣୁନାହାଁନ୍ତି । ଫଳରେ ଗାଁର ପିଲା ଠୁୁ ବୁଢା ସମସ୍ତେ ଏକାଠୀ ହୋଇ ନିଜେ କୋଦାଳ ଧରି ରାସ୍ତା ନିର୍ମାଣ କରୁଛନ୍ତି ।

ଗାଁକୁ ରାସ୍ତା ଖଣ୍ଡେ ନ ଥିବାରୁ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ଗୁରିଗୁଡା ଗ୍ରାମବାସୀ । କାହାର ଦେହ ଖରାପ ହେଲେ ହସ୍ପିଟାଲ ନେବା ପାଇଁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଆସିପାରୁନାହିଁ । ମୋହନା ବ୍ଲକ ଠୁ ମାତ୍ର ୧୨ କିଲୋମିଟର ଦୂରରେ ଥିବା ଏହି ଗାଁରେ ୫ ଶହରୁ ଅଧିକ ଆଦିବାସୀ ପରିବାର ରହୁଛନ୍ତି । ଦୁର୍ଗମ ଅଂଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଗୁରିଗୁଡା ଗ୍ରାମବାସୀ ଏହାର ସୁଫଳ ପାଇପାରୁ ନାହାଁନ୍ତି । ଯଦି ଆଗାମୀ ଦିନରେ ସରକାର ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ବ୍ଲକ ଅଫିସ୍ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଏସମ୍ପର୍କରେ ଆମେ ମୋହନା ବିଡିଓ ତପସ୍ୱିନୀ ହାଂଶଦାଙ୍କୁ ପଚାରିବାରୁ ସେ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । ଦେଖବାକୁ ବାକି ରହିବା କେବେ ସରକାରଙ୍କ ଦୃଷ୍ଟି ପଡିବ ଆଉ ଗାଁର ଦୁଃଖ ଦୂର ହେବ ।