ଜମୁଛି ପଦ୍ମପୁର ପ୍ରଚାର: କୀର୍ତନ କରି କ୍ୟାମ୍ପେନ୍ କଲେ ପ୍ରଦୀପ, ପ୍ରଚାର ବେଳେ ବର୍ଷାଙ୍କ ପଖାଳଖିଆକୁ ନେଇ ଚର୍ଚ୍ଚା 

512

କନକ ବ୍ୟୁରୋ: ନିର୍ବାଚନୀ ମାହୋଲରେ ଭୋଟର୍ଙ୍କ ପାଖକୁ ପହଂଚିବା ପାଇଁ ଭିନ୍ନ ଭିନ୍ନ ବାଟ ଆଣାଇଛନ୍ତି ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନରସିଂହନାଥଙ୍କ ଭଜନ ଗାଇ କୀର୍ତନ କରୁଥିବା ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପଖାଳ କଂସାରେ ପ୍ରଚାର କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ଆଉ ବିଜେଡି-ବିଜେପିର ପ୍ରଚାର ଭିତରେ ମଂଚ ଉପରେ ବର୍ଷିଛନ୍ତି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ।

ଏସବୁ ଭିତରେ ତିନି ପ୍ରମୁଖ ଦଳ ସଭା-ସମିତି ଜରିଆରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତିି । ବୁକୁରାମୁଣ୍ଡାରେ ବିଜେଡି ବଡ଼ଧରଣର ସଭା କରିଥିବା ବେଳେ ପାଇକମାଳ ବ୍ଲକରେ ଜନସଭା କରିଛି କଂଗ୍ରେସ । ମଂଚ ଉପରୁ ଉଭୟ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି କଂଗ୍ରେସ ପ୍ରାର୍ଥୀ । ସେହିପରିି ପଦ୍ମପୁର ବ୍ଲକର ଗ୍ରାମାଂଚଳରେ ପ୍ରଚାର କରିଛନ୍ତି ବିଜେପି ପ୍ରାର୍ଥୀ ।

ପ୍ରଚାରର ଏହି ପ୍ରତିଦ୍ୱନ୍ଦିତା ଭିତରେ ଆଦିବାସୀ ଭୋଟକୁ ନେଇ ଏବେ ଗୋଟିଏ ଚର୍ଚ୍ଚା ?

ପଦ୍ମପୁର ବିଧାନସଭା ନିର୍ବାଚଳ ମଣ୍ଡଳୀରେ ପ୍ରମୁଖ ଭୂମିକା ନେଇପାରନ୍ତି ଆଦିବାସୀ ଭୋଟର୍୍ । କାରଣ, ପଦ୍ମପୁରରେ ୨୬% ଏସଟିି ଭୋଟର । ୧୩% ଏସସି ଭୋଟର । ଏବଂ ୦୮%  ବିଂଝାଲ ଭୋଟର ଅଛନ୍ତି । ପଦ୍ମପୁରରେ ମୋଟ୍ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୫୭, ୪୭୪ ଥିବା ବେଳେ ଆଦିବାସୀଙ୍କ ସଂଖ୍ୟା ୬୬ ହଜାର ୯୪୩ । ଯେଉଁ ସଂଖ୍ୟା ଭୋଟ ରାଜନୀତିକୁ ଓଲଟପାଲଟ କରିବାରେ ହୁଏତ ସକ୍ଷମ । ଏସବୁ ଭିତରେ ବର୍ଷା ସିଂ ବରିହା ନିଜେ ବିଂଝାଲ ସଂପ୍ରଦାୟରୁ ଆସୁଥିବାରୁ ଆଦିବାସୀଙ୍କ ଭୋଟର କାହା ଆଡକୁ ଢ଼ଳିବେ ତାହା ଗୁରୁତ୍ୱପୂର୍ଣ୍ଣ । ଏପଟେ କିନ୍ତୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି- ଆଦିବାସୀ ଭୋଟର୍ ବିଜେପି ସହିତ ଅଛନ୍ତି । ତେଣୁ ଟ୍ରାଇବାଲ ଭୋଟ୍ ବିଜେପିକୁ ଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ବିଜେଡି କିନ୍ତୁ ଠିକ୍ ଓଲଟା କଥା କହିଛନ୍ତି । ଯଦି ଟ୍ରାଇବାଲ ଭୋଟ ତାଙ୍କର ଥିଲା ପଂଚାୟତ ନିର୍ବାଚନରେ ହାରିଲେ କେମିତି ? ବିଜେଡି ଓ ବିଜେପିର ଏହି ବୟାନବାଜି ଭିତରେ ଦେଖିବାର କଥା ଆଦିବାସୀ ଭୋଟର ବାଛୁଛନ୍ତି କାହାକୁ ? ଏବଂ ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯାଉଛି ।