କେମିତି ହେଲା ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ: କଡ଼ା ସୁରକ୍ଷା ବଳୟ ଭେଦ କରି କେମିତି ଫଟୋ ଉଠାଇଲେ ଅଭିଯୁକ୍ତ?

166

କନକ ବ୍ୟୁରୋ: ଜଗନ୍ନାଥ ଓ ଶ୍ରୀମନ୍ଦିର କୋଟି କୋଟି ଓଡିଆଙ୍କ ଆସ୍ଥାର କେନ୍ଦ୍ର । ଆଉ ଶ୍ରୀମନ୍ଦିରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗର୍ଭଗୃହ ରତ୍ନବେଦୀର ଫଟୋ ଜଣେ ବିଦେଶୀ ଭାଇରାଲ କରିବା ଘଟଣା ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି । ଫଟୋରେ ରତ୍ନବେଦୀ ସହ ମହାପ୍ରଭୁ ସ୍ପଷ୍ଟ ଦେଖାଯାଉଛନ୍ତି । ସୋସିଆଲ ମିଡିଆରେ ରତ୍ନବେଦୀର ଫଟୋ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ସିଂହଦ୍ୱାରା ଥାନାରେ ଏତଲା ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭିଏସ ଚନ୍ଦ୍ର ଶେଖର ରାଓ । ଏତଲାରେ ଲେଖାଯାଇଛି

ଆକାଶ ଚୌଧୁରୀ ନାମକ ଫେସବୁକ ୟୁଜର୍ସ ଫୋଟ ଭାଇରାଲ କରିଛନ୍ତି
ଆକାଶଙ୍କ ଫେସବୁକ ଆକାଉଂଟରେ ଫଟୋ ଅପଲୋଡ ହୋଇଛି
ରତ୍ନବେଦୀର ଫଟୋ ତଳେ ବଙ୍ଗାଳି ଭାଷାରେ ଲେଖା ଯାଇଛି
ଆକାଶ ଚୌଧୁରୀଙ୍କ ଘର ବାଂଲାଦେଶ, ସିଲହଟ ଅଂଚଳରେ
ଗୁପ୍ତ କ୍ୟାମେରାରେ ଫଟୋ ଉଠାଇଥିବା ସନ୍ଦେହ କରାଯାଉଛି
ଶ୍ରଦ୍ଧାଳୁଙ୍କ ଭିଡ଼ର ସୁଯୋଗ ନେଇ ଅଭିଯୁକ୍ତ ଫଟୋ ଉଠାଇଥିଲା ସନ୍ଦେହ
ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ଶ୍ରୀମନ୍ଦିରର ନିଷିଦ୍ଧାଂଚଳର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲିବା କେବଳ ଯେ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି, ତା ନୁହେଁ । ଶ୍ରୀମନ୍ଦିର ହୁଗୁଳା ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ପଦାରେ ପକାଇଛି । ପୁରୀ ମନ୍ଦିରରେ ମୋବାଇଲ, କ୍ୟାମେରା, ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ କଡା କଟକଣା ରହିଛି । ଶ୍ରୀମନ୍ଦିରରେ ମାଳମାଳ ପୁଲିସର ପହରା, ସ୍ଥାନେ ସ୍ଥାନ ସିସିଟିଭି ଲାଗିଛି, ଏତେ କଡା ସୁରକ୍ଷା ବଳୟକୁ ଭେଦ କରି କିପରି ଜଣେ ରତ୍ନବେଦୀର ଫୋଟ ଉଠାଇ ପାରିଲା? ଏହା ପୁରୀ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ବଡ ପ୍ରଶ୍ନ ସୃଷ୍ଟି କରିଛି ।

ଆକାଶ ଚୌଧୁରୀ ବାଂଲାଦେଶର ଜଣେ ୟୁଟ୍ୟୁବର ଓ ଇସ୍କନ ଭକ୍ତ ବୋଲି କୁହାଯାଉଛି ।ସେ ଫେସବୁକରେ ରତ୍ନବେଦୀର ଫଟୋ ଅପଲୋଡ କରିବାର ୬ ଘଂଟା ପରେ ପୁଣି ହଟାଇ ଦେଇଛନ୍ତି । ଶ୍ରୀମନ୍ଦିର ଇତିହାସରେ ରତ୍ନବେଦୀରେ ଶ୍ରୀଜିଉ ବିରାଜମାନ କରିଥିବା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ଘଟଣା ପ୍ରଥମ । ଜଣେ ବିଦେଶୀଙ୍କ ଏଭଳି କାଣ୍ଡକୁ ନେଇ ଭକ୍ତ ଓ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।