ଭୁବନେଶ୍ୱରରେ ଖୁଲମଖୁଲା ବୁଲୁଥିଲା ଦୁଷ୍କର୍ମ ଅଭିଯୁକ୍ତ: କୋହଭରା କଣ୍ଠରେ ପୀଡ଼ିତା କହିଲେ, ସେହି କାଳରାତିର କାହାଣୀ

750

କନକ ବ୍ୟୁରୋ: ରାଜଧାନୀରେ ୧୩ ବର୍ଷ ତଳର ଜଣେ ଦୁଷ୍କର୍ମ ଅଭିଯୁକ୍ତ ବ୍ରଜ କିଶୋର ସ୍ୱାଇଁ ଓରଫ ବାଜିଆକୁ ମହିଳା ଥାନା ପୁଲିସ ଗିରଫ କରିବା ପରେ ଏ ହେଉଛି ପ୍ରେସ ରିଲିଜ୍ । ଏଥିରେ ଲେଖା ଅଛି, ଫେରାର ହୋଇ ଯାଇଥିବା ଅଭିଯୁକ୍ତ କେସ୍ ବନ୍ଦ ହୋଇଥିବା ଭାବି ନିକଟ ଅତୀତରେ ନିଜ ଘରକୁ ଫେରିଥିଲେ । ବିଶେଷ ସୂତ୍ରରୁ ଖବର ପାଇବା ପରେ ଚଢ଼ାଉ କରି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ କରିଛି ମହିଳା ଥାନା ପୁଲିସ ।

ଗଣମାଧ୍ୟମକୁ ଦିଆଯାଇଥିବା ଏହି ସୂଚନାର ଅର୍ଥ ହେଉଛି, ମାମଲା ଯେତେ ପୁରୁଣା ହେଲେ ବି ତା ଉପରେ ନଜର ରଖିଛି କମିସନରେଟ ପୁଲିସ । କିନ୍ତୁ ଏ ନେଇ ପୀଡ଼ିତା ଯାହା କହିଛନ୍ତି, ତାହା ଚମକାଇ ଦେବା ଭଳି । ତାଙ୍କର ଅଭିଯୋଗ, ଭୁବନେଶ୍ୱରରେ ଅଭିଯୁକ୍ତ ରହି ଆସୁଥିଲେ ବି ପୁଲିସ ତାକୁ ଗିରଫ କରୁନଥିଲା ।

ଦୁଷ୍ମର୍ମ ପୀଡ଼ିତା ଯେଉଁ ଅଭିଯୋଗ ଆଣିଛନ୍ତି କେତେ ଠିକ କେତେ ଭୁଲ, ତାହା ଏହି ଫଟୋଗୁଡିକୁ ଦେଖିଲେ ବୁଝିହେବ । ଯେଉଁ ବାଜିଆକୁ ଫେରାର ଦର୍ଶାଇ ଆସୁଥିଲା ପୁଲିସ, ସେ ଭୁବନେଶ୍ୱରରେ ଖୁଲମଖୁଲା ବୁଲୁଥିଲା । ନେତା, ବିଧାୟକ, କର୍ପୋରେଟରଙ୍କ ସହ ଫଟୋ ଉଠାଇ ଫେସବୁକ୍ରେ ଛାଡୁଥିଲା । ସ୍ଥାନୀୟ ଅଂଚଳରେ ନେତାଗିରି, ମାଫିଆ ଗିରି ଚଳାଉଥିଲା ବାଜିଆ । ତା’ର ଉପସ୍ଥିତି ବିଷୟରେ ସମସ୍ତେ ଜାଣିଥିଲେ, କେବଳ ପୁଲିସ ୧୩ ବର୍ଷ କାଳ ତାର ପତା ପାଉନଥିଲା ।

ବର୍ଷ ପରେ ବର୍ଷ ବିତି ଯାଇଛି, ଜୀବନ ସଂଘର୍ଷରେ ଅନେକ ବାଟ ଆଗେଇ ଆସିଥିଲେ ବି ପୀଡ଼ିତାଙ୍କ ଆଖିରୁ ଲୁହ ଶୁଖୁନି । ସେଦିନର କାଳ ରାତିର କଥା ମନେ ପଡିଲେ ଆଜି ବି କୋହ ରୋକି ହେଉନି ।

ଜାନୁଆରୀ ୧୧, ୨୦୦୯
ରାତି ଅଧରେ ପୀଡ଼ିତାଙ୍କ ଭଡ଼ା ଘର କବାଟ ବାଡେଇଥିଲେ ବାଜିଆଙ୍କ ସମେତ ୩ ଜଣ ଅଭିଯୁକ୍ତ । ସ୍ୱାମୀଙ୍କୁ ମାଡ଼ ମାରି ପୀଡ଼ିତାଙ୍କୁ ଘରୁ ଉଠାଇ ନେଇଥିଲେ । ଗଣଦୁଷ୍କର୍ମ ସହ ପୀଡ଼ିତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲା । ଏହି କଥା କହିବା ବେଳେ କାନ୍ଦି ପକାଇଥିଲେ ପୀଡ଼ିତା ।

ମାମଲାରେ ଜଣେ ଗିରଫ ହୋଇଥିଲେ । ବାଜିଆଙ୍କ ସମେତ ୨ ଜଣ ଅଭିଯୁକ୍ତ ଫେରାର ହୋଇଥିଲେ । ଅଭିଯୁକ୍ତ ରବି ଓରଫ ବଳଭଦ୍ର ସୁନ୍ଦରାୟ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ବାଜିଆ ଖୁଲମଖୁଲା ବୁଲୁଥିଲା । ନ୍ୟାୟ ପାଇବା ପାଇଁ କିଛି ଦିନ ସଂଘର୍ଷ କରିବା ପରେ ଶେଷରେ ଆଶା ଛାଡି ଦେଇଥିଲେ ପୀଡ଼ତା । ୧୩ ବର୍ଷ ପରେ ଗିରଫ ହୋଇଛି ଅଭିଯୁକ୍ତ । ଏବେ ଅପେକ୍ଷା ତାର ପାପ କର୍ମ ପାଇଁ କେବେ ମିଳିବ ସଜା ।