ଡାକ୍ତରଙ୍କ ଦାଦାଗିରିର ଭିଡିଓ ହେଲା ଭାଇରାଲ । ସାମ୍ନାକୁ ଆସିଲା ବୁର୍ଲା ମେଡିକାଲ ପରିସରରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ମାରି ଆଣ୍ଠଉଥିବା ଦୃଶ୍ୟ । 

399

କନକ ବ୍ୟୁରୋ : ଡାକ୍ତର ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ପୁଣି ବୁର୍ଲା ମେଡିକାଲରେ ଉତ୍ତେଜନା । ଭିମସାରର ପ୍ରଫେସରଙ୍କୁ ମାଡ ମାରିଥିବା ଅଭିଯୋଗରେ ପୋଲିସ ରୋଗୀଙ୍କ ୨ ଜଣ ସମ୍ପର୍କୀୟଙ୍କୁ ଗିରଫ କରିଛି । ସେପଟେ ରୋଗୀ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ, ଡାକ୍ତର, ଘରୋଇ ନର୍ସିଂହୋମରେ ରୋଗୀଙ୍କର ଚିକିତ୍ସା କରିଛନ୍ତି ଏବଂ ଚିକିତ୍ସା ନେଇ ପ୍ରଶ୍ନ କରିବାରୁ ତାଙ୍କୁ ମାଡ ମାରିଛନ୍ତି । ରୋଗୀ ସମ୍ପର୍କୀୟ ଓ ଡାକ୍ତରଙ୍କ ଗଣ୍ଡଗୋଳ ଭିତରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ରୋଗୀ ସମ୍ପର୍କୀୟଙ୍କୁ ପୋଲିସ ଉପସ୍ଥିତିରେ ଅନ୍ୟ ଡାକ୍ତର, ଜବରଦସ୍ତ କ୍ଷମା ମାଗିବା ପାଇଁ ବାଧ୍ୟ କରୁଥିବା ଦେଖାଯାଇଛି ।

ସମସ୍ତଙ୍କ ସାମ୍ନାରେ କାନ ଧରି ଭୁଲ ମାଗିଥିଲେ ଯୁବକ । ଉଠବସ ହୋଇଥିଲେ , ଡାକ୍ତରଙ୍କ ଗୋଡ ତଳେ ପଡି କ୍ଷମା ବି ମାଗିଥିଲେ । ଭିଡିଓରେ ଯୁବକଙ୍କୁ ଏଭଳି କରିବାକୁ ବାଧ୍ୟ କରାଯାଉଥିଲା । ଫାଣ୍ଡି ଭିତରୁ ପୁଲିସ ହେପାଜତରେ ଥିବା ଯୁବକଙ୍କୁ ବାହାରକୁ ଆଣି ସର୍ବସାଧାରଣରେ ଗାଳିଗୁଲଜ କରାଯାଇଥିଲା ଏବଂ ମାଡ ବି ମରାଯାଇଥିଲା । ସମ୍ବଲପୁର ଭିମସାରରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି ।

ରବିବାର ଅପରାହ୍ନ । ସ୍ଥାନ, ବୁର୍ଲା ବଡ ଡାକ୍ତରଖାନା । ଡାକ୍ତର କରିଥିବା ଅଭିଯୋଗ ଅନୁସାରେ, ଝସକେତନ ଏବଂ ତାର ଜଣେ ସମ୍ପର୍କୀୟ ଭାଇ ଅପରେସନ ରୁମରେ ଜବରଦସ୍ତ ପଶି ସ୍ନାୟୁଶଲ୍ୟ ବିଭାଗ ପ୍ରଫେସର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କୁ , ଘରୋଇ ନର୍ସିଂହୋମକୁ ଯାଇ ତାଙ୍କ ବାପାଙ୍କ ଚିକିତ୍ସା କରିବାକୁ ବାଧ୍ୟ କରିଥିଲେ । ଡାକ୍ତର ମନା କରିବାରୁ ତାଙ୍କୁ ମାଡ ମାରିଥିଲେ ଏବଂ ହସ୍ପିଟାଲରେ ଭଙ୍ଗାରୁଜା କରିଥିଲେ । ତେବେ ଡାକ୍ତରଙ୍କୁ ନୁହେଁ ବରଂ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ମାଡ ମାରିଥିବା ପାଲଟା ଅଭିଯୋଗ ଆଣିଛନ୍ତି ରୋଗୀ ।

ଆଉ ପ୍ରଶ୍ନ ଉଠୁଛି, କିଏ କହୁଛି ସତ ? ରୋଗୀ ନା ଡାକ୍ତର ? ବୁର୍ଲା ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀ, ଘରୋଇ ନର୍ସିଂହୋମ୍ ଯାଇ ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ପ୍ରେସକ୍ରିପସନରେ ଡାକ୍ତରଙ୍କ ସ୍ୱାକ୍ଷର ବି ରହିଛିି । ସେପଟେ ଜୁନିଅର୍ ଡାକ୍ତର, ଯୁବକଙ୍କୁ ମାଡ ମାରିବାର ଭିଜୁଆଲ୍ ଭାଇରାଲ୍ ହେବାରେ ଲାଗିଛି । ରୋଗୀ ସମ୍ପର୍କୀୟ ଏବଂ ଡାକ୍ତରଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ବୁର୍ଲା ଭିମସାରରେ ଉତ୍ତେଜନା ବଢିବାରେ ଲାଗିଛି ।