ଗରିବଙ୍କୁ ମାଗଣା ବଣ୍ଟନ ବନ୍ଦ କରିବା ପ୍ରସ୍ତାବ ଉପରେ ବର୍ଷିଲେ ବିଜେପି ସାଂସଦ ବରୁଣ ଗାନ୍ଧୀ, ଜାଣନ୍ତୁ କଣ କହିଲେ

756

କନକ ବ୍ୟୁରୋ : ବିଜେପି ସାଂସଦ ବରୁଣ ଗାନ୍ଧୀ ପୁଣିଥରେ ନିଜ ଦଳର ସରକାର ଉପରେ ବର୍ଷିଛନ୍ତି । ବିଜେପି ରାଜ୍ୟସଭା ସାଂସଦ ସୁଶୀଲ ମୋଦୀ ସରକାରଙ୍କ ଦ୍ୱାରା ଗରିବ ମାନଙ୍କୁ ଦିଆଯାଉଥିବା କିଛି ମାଗଣା ଉପହାର ବନ୍ଦ କିରବାକୁ ସଂସଦରେ ପ୍ରସ୍ତାବ ରଖିଥିଲେ ।  ସୁଶୀଲ ମୋଦୀଙ୍କର ଏଭଳି ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ସେ କହିଛନ୍ତି କି ସାଂସଦମାନେ ଗରିବମାନଙ୍କୁ ସରକାର ମାଗଣାରେ ଯେଉଁ ସହାୟତା ଯୋଗାଇ ଦେଉଛନ୍ତି ତାହା ବନ୍ଦ କରିବାକୁ ପ୍ରସ୍ତାବ ଦେଉଥିବା ସାଂସଦମାନେ ପ୍ରଥମେ ନିଜ ଆଡକୁ ଦେଖନ୍ତୁ । ବରୁଣ ଗାନ୍ଧୀ କହିଛନ୍ତି କି ପ୍ରଥମେ ସାଂସଦମାନଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ମାଗଣା ସୁବିଧା ବନ୍ଦ କରିବା ନେଇ ସଂସଦରେ ପ୍ରସ୍ତାବ ଆଣନ୍ତୁ ।

କେବଳ ଏହି ମାଗଣା ଯୋଜନା ନୁହେଁ ଏହା ପୂର୍ବରୁ ବି ବରୁଣ ଗାନ୍ଧୀ ଦେଶରେ ବଢୁଥିବା ରୋଷେଇ ଗ୍ୟାସର ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ କି ଗତ ୫ ବର୍ଷ ମଧ୍ୟରେ ୪.୧୩ କୋଟି ଲୋକ ଏଲପିଜିର ଗୋଟିଏ ଟାଙ୍କି ବି ଭରିବାକୁ ସକ୍ଷମ ହୋଇ ନାହାଁନ୍ତି । ଏହାସହ କେବଳ ୭.୬୭ କୋଟି ଲୋକ ଗୋଟିଏ ଥର ସିଲିଣ୍ଡର ଭରିବାକୁ ସକ୍ଷମ ହୋଇଛନ୍ତି । ସେ କହିଥିଲେ କି ସ୍ୱଚ୍ଛ ଇନ୍ଧନ ବେହେତର ଜୀବନ ଭଳି ସରକାରଙ୍କ ନାରା ଦେଶରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ।

ସେପଟେ ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବି ମାଗଣା ବଣ୍ଟନ ରୋକିବା ଉପରେ ସରକାରଙ୍କ ପରାମର୍ଶ ଲୋଡିଛନ୍ତି । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ଯେଭଳି ମାଗଣା ଯୋଜନା ଘୋଷଣା କରୁଛନ୍ତି ତାହା ଉପରେ କିଭଳି ରୋକ୍ ଲଗାଯାଇପାରିବ ତାହା ଉପରେ ସେ ସରକାରଙ୍କ ଠାରୁ ପରାମର୍ଶ ମାଗିଛନ୍ତି ।