ଚିନ୍ତା ବଢାଉଛି ନିଅଣ୍ଟିଆ ଟିକା । ରାଜ୍ୟର ୮ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

151

କନକ ବ୍ୟୁରୋ : ଦେଶରେ ଯେତେବେଳେ କୋଭିଡ ଟିକାର ଘୋର ଅଭାବ ସେତେବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ଟିକା ମହୋତ୍ସବ’ ପାଳନ କରିବାକୁ ପରାମର୍ଶ ଦେଲେ । ହେଲେ ୪ ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ ‘ଟିକା ମହୋତ୍ସବ’ ପାଳନ କରିବା ପରେ ଏବେ ସବୁ ରାଜ୍ୟକୁ ଘାରିଛି ନିଅଣ୍ଟିଆ ଟିକାର ସମସ୍ୟା । ଏହି କ୍ରମରେ ଆମ ରାଜ୍ୟରେ ଆଜି ୮ ଟି ଜିଲ୍ଲାରେ ଟିକାକରଣ ବନ୍ଦ ହୋଇଛି । ଏନେଇ ରାଜ୍ୟ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ଶନିବାର ଓ ରବିବାର ଦିନ କେବଳ ୪୨୭ ଟି କେନ୍ଦ୍ରରେ ଟିକାକରଣ କରାଯାଉଛି । ଅନ୍ୟପଟେ ରାଜ୍ୟରେ ଏବେ ୧ ହଜାର କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି । ଏହାରି ମଧ୍ୟରେ ପୁରା ୮ ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବେ ଟକାକରଣ ବନ୍ଦ ରହିଛି ।

ଅନ୍ୟପଟେ ରାଜ୍ୟକୁ ଆଜି ୨ ଲକ୍ଷ କୋଭିସିଲ୍ଡ ଟିକା ଆସୁଥିବା ନେଇ ସୂଚନା ମିଳିଛି । ରାଜ୍ୟରେ ଏବେ ୩.୧ ଲକ୍ଷ କୋଭିସିଲ୍ଡ ଟିକା ମହଜୁତ ରହିଛି । ଆଜି ଟିକା ଆସିବା ପରେ ଆସନ୍ତା କାଲି ଠାରୁ ଟିକାକରଣ ସ୍ୱଭାବିକ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଆଜି ଆସୁଥିବା ଟିକା ଓ ମହଜୁତ ଥିବା ଟିକା ମିଶି ଦୁଇରୁ ତିନି ଦିନ ଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ।
କହିରଖୁ କି ଦେଶରେ ଟିକାର ଅଭାବ ନଥିବା କଥା ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଗଣମାଧ୍ୟମକୁ ସୂଚନା ଦେଇ କହିଥିବା ବେଳେ ଆଜି ରାଜ୍ୟ ପରିବାର କଲ୍ୟାଣ ବିଭାଗର ଏଭଳି ସୂଚନା ସାଧାରଣ ଲୋକଙ୍କୁ ଦ୍ୱନ୍ଦରେ ପକାଇଛି ।