ଭାଙ୍ଗିଲା ୩୨ ବର୍ଷର୍ର ପରମ୍ପରା । କରୋନା ମହାମାରୀ ପାଇଁ ବନ୍ଦ ହେଲା ଲିଙ୍ଗରାଜ ମହୋତ୍ସବ

153

କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ବନ୍ଦ ହେଲା ଲିଙ୍ଗରାଜ ମହୋତ୍ସବ । ୩୨ ବର୍ଷ ଧରି ‘ଏକାମ୍ର ସାଂସ୍କୃତିକ ପ୍ରକାଶନୀ’ ତରଫରୁ ଆୟୋଜିତ ହେଉଥିବା ଏହି ମହୋତ୍ସବକୁ ବନ୍ଦ କରାଯାଇଛି । ଏହି ମହୋତ୍ସବକୁ ପ୍ରାୟ ୭ ଟି ରାଜ୍ୟରୁ ୫୦୦ କଳାକାର ଆସୁଥିବା ବେଳେ ଏହି କାର୍ଯ୍ୟକ୍ରମ ୬ ଦିନ ଧରି ଚାଲୁଥିଲା । ହେଲେ ଏବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯେଭଳି ଭାବେ ବୃଦ୍ଧି ପାଇଛି ତାହାକୁ ନଜରରେ ରଖି ଏହି ମହୋତ୍ସବକୁ ବନ୍ଦ କରାଗଲା ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ । ସେ କହିଛନ୍ତି କି ଲୋକଙ୍କ ସ୍ୱାର୍ଥ ଓ ସରକାରଙ୍କ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ ୨୦ ତାରିଖ ଦିନ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ହେଲେ ଏହି ରଥଯାତ୍ରାରେ ଶ୍ରଦ୍ଧାଳୁ ମାନଙ୍କୁ ରଥ ଟାଣିବା ବା ରଥଯାତ୍ରାରେ ସାମିଲ ହେବାକୁ ଦିଆଯିବ ନାହିଁ । ଏ ନେଇ ଗତକାଲି ଲିଙ୍ଗରାଜ ମନ୍ଦିର କମିଟି, ସେବାୟତ ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିିୟଦର୍ଶୀ ଏକ ପ୍ରସ୍ତୁତି ବୈଠକ କରିଥିଲେ । ଏହି ଭର୍ଚୁଆଲ ବୈଠକରେ ବିନା ଶ୍ରଦ୍ଧାଳୁ ଓ ସୀମିତ ସେବାୟତଙ୍କୁ ନେଇ ରୁକୁଣା ରଥଯାତ୍ରା କରାଯିବ ବୋଲି ନିଷ୍ପତ୍ତି ହୋଇଛି । ରଥଯାତ୍ରା ସମୟରେ ଲିଙ୍ଗରାଜ ମନ୍ଦିର ଠାରୁ ମାଉସୀ ମା’ ଛକ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯିବ ।