ଅଖିଳେଶଙ୍କୁ ଚେକମେଟ୍ ଦେବାପାଇଁ ଶିବପାଲଙ୍କ ‘ମିଶନ ଯଦୁବଂଶ’ । ପୁତୁରାଙ୍କ ଟେନସନ ବଢିବ ନା ବିଜେପିକୁ ମିଳିବ ସଞ୍ଜିବନୀ ?

86

କନକ ବ୍ୟୁରୋ: ଉତ୍ତରପ୍ରଦେଶ ରାଜନୀତିରେ ବର୍ତ୍ତମାନ ଭିନ୍ନ ଭିନ୍ନ ସମୀକରଣ ଦେଖିବାକୁ ମିଳୁଛି । ଆଉ ଏହି ସ୍ଥିତିରେ ଚର୍ଚ୍ଚାର ସବୁଠାରୁ ଆଗରେ ଯାଦବ ସମୁଦାୟ । ଉତ୍ତରପ୍ରଦେଶରେ ପାଖାପାଖି ୧୦ ପ୍ରତିଶତ ମତଦାତା ଯାଦବ ସମ୍ପ୍ରଦାୟର । ଏମାନେ ଲଗାତର ଭାବେ ମୁଲାୟାମ ସିଂହଙ୍କ ସମୟରୁ ପରମ୍ପରାଗତ ଭୋଟର ଭାବେ ସମାଜବାଦୀ ପାର୍ଟିରୁ ଭୋଟ ଦେଇଆସିଥାନ୍ତି । ସମୟ ବଦଳିବା ସହ ୨୦୨୨ ନିର୍ବାଚନରେ ଏହି ଭୋଟରଙ୍କୁ ଅଖିଳେଶ ଯାଦବ ଉପେକ୍ଷା କରି ବ୍ରାହ୍ମଣ, ଦଳିତ ଏବଂ ଅଣଯାଦବ ସମ୍ପ୍ରଦାୟକୁ ନିଜପଟକୁ ଆଣିବାକୁ ଚେଷ୍ଟା କରିଥିଲେ । ଏହାକୁ ନେଇ ଯାଦବ ସମାଜର ନେତା ନିଜକୁ ଉପେକ୍ଷିତ ମାନିବାକୁ ଲାଗିଥିଲେ, ତେବେ ରାଜନୈତିକ ସ୍ଥିତିକୁ ଦେଖି ସାପା ସହ ଯୋଡିହୋଇ ରହିଥିଲେ ।

ସେପଟେ କିନ୍ତୁ ସପା ସହ ସମସ୍ତ ସମ୍ପର୍କ ଭାଙ୍ଗିସାରିଥିବା ଶିବପାଲ ଯାଦବ ବର୍ତ୍ତମାନ ଅଖିଳେଶଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ କରିବା ଆରମ୍ଭ କରିଦେଇଛନ୍ତି । ଯଦୁବଂଶୀୟ ସର୍ବମାନ୍ୟ ନେତା ହେବା ଲକ୍ଷ୍ୟରେ ସେ ପୂର୍ବତନ ସାଂସଦ ଡିପି ଯାଦବଙ୍କ ସହ ବନ୍ଧୁତା ସ୍ଥାପନା କରିଛନ୍ତି । ଯାଦବ ସମାଜ ପାଇଁ ଲଢେଇ କରିବାକୁ ସେ ଆଗକୁ ବଢିବା ଆରମ୍ଭ କରିଛନ୍ତି । ଏହା ସହ ସେ ଆରମ୍ଭ କରିଛନ୍ତି ‘ଯଦୁକୂଳ ପୁର୍ନଜାଗରଣ ମିଶନ’ । ଯାଦବ ବଂଶୀୟ ବଡ ବଡ ନେତାଙ୍କୁ ନେଇ ନିଜ ପୁତୁରା ଅଖିଳେଶଙ୍କ ବିରୋଧରେ ପଥ ପ୍ରସ୍ତୁତ କରିଛନ୍ତି ।

ଗୋଟିଏ ପଟେ ରାଜ୍ୟ ରାଜନୀତିରେ ପ୍ରଭାବହୀନ ହେଉଥିବା ଶିବପାଲ ଯାଦବଙ୍କ ଗୋଟିଏ ଚାଲ ରାଜ୍ୟ ରାଜନୀତିରେ ପୁଣି ହଇଚଇ ସୃଷ୍ଟି କରିଛି । ଗୁରୁବାର ଲଷ୍ମୌର ଆୟୋଜିତ ଯଦୁକୂଳ କାର୍ଯ୍ୟକ୍ରମରେ ସେ ଯାଦବ ସମୁଦାୟର ବଡ ବଡ ନେତାଙ୍କୁ ଏକାଠି କରି ରାଜନୀତିରେ ଆଉ ଗୋଟିଏ ବଡ ମିଶନ ଆରମ୍ଭ କରୁଥିବା ସଙ୍କେତ ଦେଇଛନ୍ତି । ଯଦୁକୂଳ ପୁର୍ନଜାଗରଣ ମିଶନ ଜରିଆରେ ଏହି ସନ୍ଦେଶ ଦେଇଛନ୍ତି । ଏହାର ନାରା ରହିଛି ନୂଆ ଚିନ୍ତାଧାରା, ନୂଆ ତରିକା, ନୂଆ ନେତ୍ୱତ୍ୱ’ । ନିଜେ ଏହାର ସଂଯୋଜକ ଥିବା ବେଳେ ପୂର୍ବତନ ସାଂସଦ ଡିପି ଯାଦବଙ୍କୁ ଏହାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି  । ଉଭୟ ମିଳିମିଶି ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଯଦୁକୂଳ ମଞ୍ଚରେ ବାଲେଶ୍ୱର ଯାଦବ, ସୁଖରାମ ଯାଦବ, ମୁଲାୟାମ ସିଂହଙ୍କ ସମସାମୟିକ ହରିଓମ ଯାଦବଙ୍କ ସହ ତମାମ ପୂର୍ବତନ ସାଂସଦ ଏବଂ ବିଧାୟକ ଏକାଠି ହୋଇଥିଲେ । ଶିବପାଲ ଏହି ମଞ୍ଚରେ ଅଖିଳେଶଙ୍କୁ ବାଦ ଦେଇ ସେମାନଙ୍କ ନେତା ନିର୍ବାଚିତ କରିବାର ବିକଳ୍ପ ନିର୍ଣ୍ଣୟ କରିବାକୁ କହିଥିଲେ ।

ଶିବପାଲ ଏହାକୁ ସାମାଜିକ ଲଢେଇର ନାମଦେଉଥିଲେ ବି ଏହା ପଛରେ ତାଙ୍କର ରାଜନୈତିକ ଉଦ୍ଦେଶ୍ୟ ସଫାସଫା ଜଣାପଡୁଛି । ରାଜ୍ୟରେ ଥିବା ଯାଦବ ସମାଜର ନେତା ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଆଖିରେ ରଖି ଯାଦବ ସମାଜର ଭୋଟକୁ ନେଇ ନିଜର ରାଜନୈତିକ ଉଦ୍ଦେଶ୍ୟକୁ ବଞ୍ଚାଇରଖିବାକୁ ଉଦ୍ଦ୍ୟମ ଆରମ୍ଭ କରିଛନ୍ତି । ସେହିଭଳି ଡିପି ଯାଦବ ମଧ୍ୟ ନିଜର ରାଜନୈତିକ ଜୀବନକୁ ନୂଆ ଜୀବନ ଦେବାକୁ ଚେଷ୍ଟା କରୁଛନ୍ତି । ଆଉ ଏହି ଦୁଇ ନେତା ବର୍ତ୍ତମାନ ମିଳିମିଶି ଅଖିଳେଶଙ୍କୁ ଚେକମେଟ ଦେବାକୁ ଯୋଜନା ଆରମ୍ଭ କରୁଛନ୍ତି ।