ପ୍ରବଳ ଖରା ଯୋଗୁଁ ଶୁଖି ଯାଉଛି ଜଳଉତ୍ସ । ଶୁଖିଲା ପଡିଛି ପୋଖରୀ ଗାଡିଆ । ଧରାକୋଟ କୋଟନିଗଣ୍ଡା ଗାଁରେ ମିଳୁନି ପାଣି

42

କନକ ବ୍ୟୁରୋ : ଗଂଜାମ ଧରାକୋଟ ବ୍ଲକର ଉପାନ୍ତ ଗାଁ କୋଟନିଗଣ୍ଡା । ଗାଁରେ ୫୦ରୁ ଅଧିକ ପରିବାର ବାସ କରନ୍ତି । ଗାଁର ମୁଖ୍ୟ ସମସ୍ୟା ପାନିୟ ଜଳ । ପାହାଡି ଝରଣାରୁ ପାଣି ସଂଗ୍ରହ କରୁଥିଲେ ଗ୍ରାମବାସୀ । ଖରା ବଢିବାରୁ ଶୁଖି ଯାଇଛି ଝରଣା । ଲୋକେ ଯେଉଁ ଗାଡିଆରେ ଗାଧାଉ ଥିଲେ ତାହା ମଧ୍ୟ ସୁଖିଯାଇଛି । ଫଳରେ ପାଣି ପାଇଁ ଏକ କିଲୋମିଟର ଦୂରରେ ଥିବା ନଳକୂଅକୁ ଭରସା କରିଛନ୍ତି ଗ୍ରାମବାସୀ ।

କୋଟନିଗଣ୍ଡା ଗାଁ ଲୋକଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ୨ଟି ସୋଲାର ଟାଙ୍କି କରାଯାଇଛି । ହେଲେ ତାହା କାର୍ଯ୍ୟକ୍ଷମ ହୋଇନାହିଁ । ଏନେଇ ଧରାକୋଟ ପ୍ରଶାସନିକ ବାବୁଙ୍କୁ ଗୁହାରି କଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ତେଣୁ ଦିନକୁ ୨୫ ଘର ଲେଖାଏଁ ନଳକୂପରୁ ପାଣି ବ୍ୟବହାର କରୁଥିବା ବେଳେ ଗାଁର ଅଧେ ଲୋକ ଗୋଟିଏ ଦିନ ଗାଧାଉଥିବା ବେଳେ ଆଉ ଅଧେ ଅଗାଧୁଆ ରହୁଥିବା କହୁଛନ୍ତି ।

ପାଣି ସମସ୍ୟାକୁ ନେଇ ସବୁବେଳେ ରାଜନୀତି କରନ୍ତି ନେତା । ଗାଁକୁ ଆସି ଭୋଟ ମାଗିବା ବେଳେ ପୁଳାପୁଳା ପ୍ରତିଶ୍ରୁତି ଦିଅନ୍ତି, ଭୋଟ ସରିଗଲେ ସବୁ ଭୁଲି ଯାଆନ୍ତି । ତେଣୁ ଏଥର ଏହାର ଉଚିତ ଜବାବ୍ ଦେବାକୁ ପ୍ରସ୍ତୁତ ହୋଇଛନ୍ତି ଗ୍ରାମବାସୀ । ସେପଟେ ଖୁବ୍ଶୀଘ୍ର ଜଳ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଧରାକୋଟ ବିଡିଓ ।