ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ବିରୋଧୀଙ୍କୁ ନବୀନଙ୍କ ସମାଲୋଚନା

95

କନକ ବ୍ୟୁରୋ: ଆଜି ଗୋଟିଏ ଦିନରେ ୪ଟି ଜିଲ୍ଲାରେ ମାରାଥନ ପ୍ରଚାର କରିଛନ୍ତି ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲା ବେଳେ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି । ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହି କଠୋର ସମାଲୋଚନା କରିଛନ୍ତି । ଏପଟେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ସେପଟେ ଓଡ଼ିଶାକୁ କେନ୍ଦ୍ରୀୟ ନେତାଙ୍କ ଘନଘନ ଗସ୍ତ । ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜ୍ୟ ରାଜନୀତିର ପାଣିପାଗ ସେତେ ଉଷ୍ମ ହେବାରେ ଲାଗିଛି । ଓଡ଼ିଶାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଏସ୍.ଜୟଶଙ୍କର, ପୁଣି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ବିଜୁ ଜନତା ଦଳର ୧ ନମ୍ବର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ଆଜି ଗୋଟିଏ ଦିନରେ ୪ଟି ଜିଲ୍ଲା ଗସ୍ତ କରି ଜୋରଦାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲାବେଳେ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରରେ ଲମ୍ବା ଭାଷଣ ନଥିଲା । ବ୍ୟକ୍ତିଗତ ଆରୋପ, ପ୍ରତ୍ୟାରୋପ ବି ନଥିଲା । ମାତ୍ର ଗୋଟିଏ ମିନିଟରେ ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନୀ ଭାଷଣକୁ ସୀମିତ ରଖିବା ସହ ଲୋକଙ୍କୁ କାମର ହିସାବ ଦେଇ ମତାମତ ଲୋଡିଥିଲେ । ଦଳୀୟ ଚିହ୍ନରେ ଭୋଟ୍ ଦେଇ ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ କରିଥିଲେ ନବୀନ ।

ଦକ୍ଷିଣ ଓଡି଼ଶାରୁ ସମାଲୋଚନା, ପଶ୍ଚିମ ଓଡ଼ିଶାରେ ଜବାବ । ନବରଙ୍ଗପୁର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀଙ୍କୁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହି ସମାଲୋଚନା କରିଥିବାବେଳେ ଟିଟିଲାଗଡରେ ଏହାର କଡା ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରରୁ ବିଜେପି ଲୋକସଭା ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରୀୟ ନେତାଙ୍କ ଘନଘନ ଗସ୍ତ
ଓଡି଼ଶାରେ ଅଛନ୍ତି ଏସ୍ ଜୟଶଙ୍କର
ଆସୁଛନ୍ତି ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ

ଦୁଇ ଦିନିଆ ଓଡି଼ଶା ଗସ୍ତରେ ଅଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଭୁବନେଶ୍ୱରର ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀରେ ସରକାର ପାଇଁ ଓଡିଶା ଲୋକେ ସହଯୋଗ କରିବାକୁ ଅପିଲ କରିଛନ୍ତି । ରାଜ୍ୟରେ ମଧ୍ୟ ବିଜେପି ସରକାର କରିବ ବୋଲି ଆହ୍ୱାନ ଦେଇଛନ୍ତି ।

ଏହାରି ଭିତରେ ରବିବାର ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଓଡିଶା ପାଇଁ ବିଜେପିର ତାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବ ବୋଲି ଜଣାପଡିଛି । ସେହିପରି ଆଗାମୀ ୬ ତିରଖ କାର୍ଯ୍ୟକ୍ରମ ପାଇଁ ରବିବାର ଭୁବନେଶ୍ୱରରେ ପହଂଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାତି ରହଣି ସହ ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଶାଳ ଜନସଂପର୍କ ସମାବେଶରେ ଯୋଗଦେବେ । ଏହାପରେ ପୁଣି ମୋଦୀ ୧୦ ତାରିଖରେ ଓଡିଶା ଆସିବେ ବୋଲି ରାଜ୍ୟ ବିଜେପି ସୂଚନା ଦେଇଛି ।