୨୪ ସିଂହାସନ ପାଇଁ ଗୁଣୁପୁର ଜନତା ଦେଖିବେ ଗମାଙ୍ଗ ଯୁଦ୍ଧ । ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର

162

କନକ ବ୍ୟୁରୋ : ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାର ଗୁଣୁପୁରଟି ଆଦିବାସୀଙ୍କ ପାଇଁ ସଂରକ୍ଷିତ । ୫ଟି ବ୍ଲକ, ଗୋଟିଏ ବିଜ୍ଞାପିତ ଅଂଚଳ ଓ ଗୋଟିଏ ପୌର ପରିଷଦକୁ ନେଇ ଗଠିତ ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୨୧ ହଜାର ୪୯୫ । ୨୦୦୯ ନିର୍ବାଚନରୁ ବିଜେଡ଼ି ହାତରେ ରହିଛି ଗୁଣୁପୁର ବିଧାନସଭା । ସବୁ ନିର୍ବାଚନରେ ଶାସକ ଦଳ ଏଠି ପ୍ରାର୍ଥୀ ପରିବର୍ତନ କରିଥାଏ, କିନ୍ତୁ ଚଳିତ ଥର ବିଧାୟକ ରଘୁନାଥ ଗମାଙ୍ଗଙ୍କୁ ରିପିଟ୍ କରିଛି ଦଳ । ସେହିଭଳି ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ଯୁବ ଚେହେରା ତଥା ନବାଗତ ସତ୍ୟଜିତ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

ଗୁଣୁପୁରରେ ଖରାର ପାରା ଠାରୁ ବେଶ ଅଧିକ ରହୁଛି ନିର୍ବାଚନୀ ତାତି । ରଘୁନାଥ ଗମାଙ୍ଗ ନବୀନ ସରକାରଙ୍କ ସଫଳତାକୁ ଅସ୍ତ୍ର କରିଥିବା ବେଳେ ବିଜେପି ଇସ୍ତାହାରକୁ ଘରେ ଘରେ ପହଂଚାଇ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ତ୍ରିନାଥ ଗମାଙ୍ଗ । କଂଗ୍ରେସର ନବାଗତ ଯୁବ ନେତା ସତ୍ୟଜିତ୍ ଗମାଙ୍ଗଙ୍କ ରାଜନୀତିରେ ସେତେଟା ଅଭିଜ୍ଞତା ନଥିଲେ ମଧ୍ୟ ଗତ ୪ ବର୍ଷ ଧରି ବିଭିନ୍ନ ଗାଁ ଗାଁ ବୁଲି ସଂଗଠନ ସୁଦୃଢ କରିଛନ୍ତି । କଂଗ୍ରେସର ଗ୍ୟାରେଂଟି କାର୍ଡ ସମସ୍ତ ଭୋଟରଙ୍କୁ ପ୍ରଭାବିତ କରୁଛି, ଲୋକେ ପରିବର୍ତନ ଚାହୁଁଛନ୍ତି ତେଣୁ ଏଥର ବାଜିମାତ୍ କରିବେ ବୋଲି ଆଶା ରଖିଛନ୍ତି ସତ୍ୟଜିତ୍  ।

ଆଦିବାସୀଙ୍କ ପାଇଁ ସଂରକ୍ଷିତ ଏହି ଆସନ ୨୦୦୯ ଯାଏଁ କଂଗ୍ରେସ ହାତରେ ଥିଲା । ଏଥର ପୁଣି ଏଠି ବିଜେଡି-କଂଗ୍ରେସ ମଧ୍ୟରେ ଲଢେଇ ହେବ, ଏବଂ ବିଜେପି ତୃତୀୟ ସ୍ଥାନରେ ରହିବ ବୋଲି ଜନତାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।