ମୋଦୀଙ୍କ ନଜରରେ ଓଡ଼ିଶା: ୫ ବର୍ଷ ପରେ ବଦଳିଲା ଆଭିମୁଖ୍ୟ

190

କନକ ବ୍ୟୁରୋ: ଦକ୍ଷିଣ ଗଡ଼ ଦଖଲ ପାଇଁ ଜୋରଦାର କସରତ । ଦକ୍ଷିଣ ଓଡ଼ିଶାରେ ମାରାଥନ ପ୍ରଚାର ସହ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ, ଆଉ ଏପଟେ କାଲି ଓଡ଼ିଶାରେ ପହଂଚୁଛନ୍ତି ପ୍ରଧାନମନ୍ତ୍ରୀ । କାଲି ରାତିରେ ଭୁବନେଶ୍ୱରରେ ପହଂଚିବେ, ୬ତାରିଖରେ ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ବିଶାଳ ଜନସମାବେଶ । ଗୋଟିଏ ସପ୍ତାହରେ ଦୁଇ ଦୁଇ ଥର ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ପୁଣି ୧୦ତାରିଖରେ ମୋଦୀ, ଓଡ଼ିଶା ଆସିବା ନେଇ ରାଜ୍ୟ ବିଜେପି ସୂଚନା ଦେଇଛି । ସବୁଠୁ ବଡ଼ କଥା ହେଉଛି, ୪ଦିନର ଓଡ଼ିଶା ଗସ୍ତ ଭିତରେ ଦୁଇ ରାତି ଭୁବନେଶ୍ୱରରେ ରହିବେ ପ୍ରଧାନମନ୍ତ୍ରୀ । ତେବେ କଣ ରହିବ ମୋଦୀଙ୍କ ଆଭିମୁଖ୍ୟ ତା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଦୁଇ ମାସ ଭିତରେ ବିଜେପି ଓ ବିଜେଡି, ଦୁଇ ଦଳର ରଣନୀତିରେ ବଡ଼ ଧରଣର ପରିବର୍ତନ ଆସିଛି ।

୨ ମାସ ତଳେ ଚଣ୍ଡିଖୋଲ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୋଟିଏ ମଂଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା । ହାତ ମିଳାଇବା ସହ ଦେଶର ଏହି ଦୁଇ ତୁଙ୍ଗ ନେତା ପରସ୍ପରକୁ ପ୍ରଶଂସାରେ ପୋତି ପକାଇଥିଲେ । ୨୦୧୯ ନିର୍ବାଚନ ପରେ ୫ ବର୍ଷ ହେଲା ଦୁହିଁଙ୍କ ମଧ୍ୟରେ ଏପରି ଘନିଷ୍ଠ ସଂପର୍କ ରହିଆସିଥିଲା । ଦୁଇ ମାସ ତଳେ ହାତ ମିଳାଇଥିଲେ, ଏବେ ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଯାଇଛି ମଇଦାନ ।

ମେଂଟ ଚର୍ଚ୍ଚାର ଅବସାନ ପରେ ଯେତେବେଳେ ରାଜ୍ୟରେ ବିଜେଡି ଓ ବିଜେପି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ଆସିଲେ, ସେତେବେଳେ ବଦଳି ଯାଇଛି ଆଭିମୁଖ୍ୟ । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଓଡ଼ିଶା ଆସିବା, ରାଜ୍ୟ ରାଜନୀତିକୁ ନୂଆ ମୋଡ଼ ଦେଇଛି ।

ଦୀର୍ଘଦିନର ଗ୍ରୀଷ୍ମ ପ୍ରବାହ ପରେ ତାତି କମିବା ଆରମ୍ଭ କରିଥିବା ବେଳେ ରାଜ୍ୟ ରାଜନୀତିର ତାତି ବଢ଼ିବାରେ ଲାଗିଛି । ଗୋଟିଏ ପଟେ ସାରାଥନ ପ୍ରଚାର କରି ବିରୋଧୀଙ୍କୁ ଶାଣୀତ ଆକ୍ରମଣ କରୁଛନ୍ତି ନବୀନ । ଅନ୍ୟପଟେ ବଡ଼ ଲଢ଼େଇ ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଆଗେଇ ଆସିଛନ୍ତି । ପଶ୍ଚିମବଙ୍ଗ ଭଳି ଏଥର ଓଡ଼ିଶା ଉପରେ ଫୋକସ କରିଛି ବିଜେପି । ଦଳ ଯେପରି ଦମ୍ ଲଗାଇଦେଇଛି, ଲାଗୁଛି ଏବେ କେବଳ ଲୋକସଭା ନୁହେଁ, ଓଡ଼ିଶାରେ ବିଧାନସଭା ଜିତି ସରକାର ଗଢିବାର ସୁଯୋଗ ଦେଖୁଛି ।

ସପ୍ତାହରେ ୨ଥର ଓଡ଼ିଶା ଆସିବେ ମୋଦୀ
ରୋଡ୍ ସୋ’, ସମାବେଶ ସହ କରିବେ ମାରାଥନ ପ୍ରଚାର
ନିର୍ବାଚନ ପ୍ରଚାର ପାଇଁ ଆସନ୍ତାକାଲି ରାତି ସାଢ଼େ ୯ଟାରେ ଓଡ଼ିଶାରେ ପହଁଚିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ ରାତି କାଟିବା ପରେ
ସୋମବାର ବ୍ରହ୍ମପୁରରେ ନିର୍ବାଚନୀ ସଭାରେ ଯୋଗ ଦେବେ ମୋଦୀ
ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଏହାର ୩ ଦିନ ପରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ୧୦ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ସୋ କରିବା ନେଇ ସୂଚନା ମିଳିଛି । ଏକାମ୍ର, ଉତର ଓ ମଧ୍ୟ ନିର୍ବାଚନ ମଣ୍ଡଳୀରେ ରାଲି କରିବା କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଆସିବା ପୂର୍ବରୁ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଆ ଭାଷା ଓ ଅସ୍ମିତା ଏବେ ସଂକଟରେ କହି ଜୋରଦାର ଲଢ଼େଇ ପାଇଁ ସଂକେତ ଦେଇ ସାରିଛନ୍ତି । ଏପରିକି ଓଡ଼ିଶାର ବିକାଶ ପାଇଁ ବିଜେପିକୁ ୫ ବର୍ଷ ସୁଯୋଗ ଦେବା ଆବଶ୍ୟକ ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ । ୭ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ୪ ଦିନ ଓଡ଼ିଶାରେ ରହିବା, ୨ ରାତି ଓଡ଼ିଶାରେ କଟାଇ ରଣନୀତିକୁ ଶାଣୀତ କରିବା, ରାଜ୍ୟ ରାଜନୀତିକୁ ସରଗରମ କରିଦେବ ବୋଲି କୁହାଯାଉଛି ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଅପରାହ୍ଣରେ ଭୁବନେଶ୍ୱରରେ ପହଁଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ୱରରେ ପହଁଚିବା ପରେ ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ଜାରି କରିବା କାର୍ଯ୍ୟକ୍ରମ ରହିଛି ।