ଆଇଏନଏସ ବିକ୍ରାନ୍ତକୁ ଅଧିକ ଶକ୍ତିଶାଳୀ କରିବ ଭାରତ: ମୁତୟନ ହେବେ ଏହି ସବୁ ଫାଇଟର ଜେଟ୍

129

କନକ ବ୍ୟୁରୋ: ଶତ୍ରୁଙ୍କ ପାଇଁ କାଳ ସାଜିବ ଆଇଏନଏସ ବିକ୍ରାନ୍ତ । ଜଳପଥ ପରେ ଏବେ ଆକାଶ ପଥରେ ବି ଶତ୍ରୁଙ୍କୁ ଟାର୍ଗେଟ କରିବେ ସେନା । କାରଣ ଆଇଏନଏସ ବିକ୍ରାନ୍ତରେ ମୁତୟନ ଅଛନ୍ତି ଫାଇଟର ଜେଟ୍ । ମିଗ୍ ୨୯କେ ଓ ୧୦ କେମାଓଭର ଦୁଇଟି ସ୍କ୍ୱାର୍ଡନ ମୁତୟନ ହୋଇପାରନ୍ତି । ସେହିପରି ଆମେରିକାରୁ ଆସିଥିବା ଏମଏଚ ୬୦ଆର ରୋମିଓ ହେଲକପ୍ଟର ବି ମୁତୟନ ହେବ । ମୋଟ ଉପରେ ଏହି ଯୁଦ୍ଧପୋତକୁ ୩୦ରୁ ୩୫ ଏୟାରକ୍ରାପ୍ଟ ଶକ୍ତି ଯୋଗାଇବେ ।

ଏହା ବ୍ୟତୀତ ଭବିଷ୍ୟତରେ ଆଇଏନଏସ ବିକ୍ରାନ୍ତର ଶକ୍ତି ବଢାଇବାକୁ ଏଥିରେ ଆହୁରି ଅଧିକ ଶକ୍ତିଶାଳୀ ଲଢୁଆ ବିମାନ ମୁତୟନ କରିବାର ଯୋଜନା କରାଯାଇଛି । ତେବେ ଆସନ୍ତୁ ଜାଣିବା ବିକ୍ରାନ୍ତର ବଳ ଯୋଗାଇବାକୁ ମୁତୟନ ହୋଇଥିବା ଫାଇଟର ଜେଟ୍ ବିଷୟରେ ।

ମିଗ୍ ୨୯ ଫାଇଟର ଜେଟ୍
ଆଇଏନଏସ ବିକ୍ରାନ୍ତରେ ମୁତୟନ ଅଛି ମିଗ ୨୯ ମିକୋୟାନ ଜେଟ୍ । ଏହା ଭାରତର ସବୁଠାରୁ ଘାତକ ଜେଟ ମଧ୍ୟରୁ ଗୋଟିଏ । ଏହି ଫାଇଟର ଜେଟ ଅନେକ ଯୁଦ୍ଧରେ ଭାରକୁ ସଫଳତା ଦେଇଛି । କେବଳ ଜଣେ ପାଇଲଟରେ ଉଡୁଥିବା ଏହି ଜେଟ୍ ଆଖିପିଛୁଳାକେ ଶତ୍ରୁକୁ ପାଣି ପିଆଇଦେବାର ଦକ୍ଷତା ରଖିଛି । ୧୭.୩୨ ମିଟର ଲମ୍ବା ଏହି ଜେଟରେ ୩୫୦୦ କିଲୋର ଇନ୍ଧନ ରହିଥାଏ । ଏହି ଜେଟରେ ୭ଟି ହାଇଡ୍ରୋପଏଣ୍ଟ ରହିଛି । ଯେଉଁଥିରେ ଅଲଗା ଅଲଗା ରକେଟ, ମିସାଇଲ କିମ୍ବା ବମ୍ ଲଗାଯାଇପାରିବ ।

ରୋମିୟୋ ହେଲିକପ୍ଟର
ଏମଏଚ ୬୦ ଆର ମଲ୍ଟି ରୋଲ ହେଲିକପ୍ଟରରେ ସେନ୍ସର ଆଉ ରାଡାର ରହିଛି, ଯାହା ଶତ୍ରୁଙ୍କ ସବୁ ସୂଚନା ଦେଇଥାନ୍ତି । ଏହାକୁ ୩ରୁ ୪ ଜଣ ପାଇଲଟ ମିଶିକି ଉଡାଇଥାନ୍ତି । ଏହି ହେଲିକପ୍ଟରର ଉଚ୍ଚତା ୧୭.୨୩ ଫୁଟ ଲ୍ଲମ୍ବ ୬୪.୮ ଫୁଟ । ଏହାର ରେଞ୍ଜ ୮୩୦ କିଲୋମିଟର ରହିଛି । ଏହା ଅତିବେଶୀରେ ୧୨ ହଜାର ଫୁଟ ଯାଏଁ ଉଡିପାରିବ । ଏହି ଲଢୁଆ ହେଲିକପ୍ଟରର ସ୍ପିଡ ଘଣ୍ଟା ପ୍ରତି ୨୭୦ ରହିଛି, ଆବଶ୍ୟକ ସ୍ଥଳେ ଏହା ୩୩୦ କିଲୋମିଟର ଘଣ୍ଟା ପ୍ରତି ଉଡିପାରେ ।

ଏଥିରେ ୨ଟି ଏମକେ ୪୬, ଏମକେ ୫୦ କିମ୍ବା ଏମକେ ୫୪ଏସ ଟରପିଡୋ ଲାଗିପାରେ । ଏହାସହ ୪ରୁ ୮ ଏଜିଏମ ୧୧୪ ହେଲିଫାୟାର ମିସାଇଲ ଲାଗିପାରେ । ୪ ପ୍ରକାରର ମେସିନ ବି ଲାଗିଛି ଯେଉଁଥିରେ ଶତ୍ରୁ ଉପରେ ଆଖିବୁଜା ଗୁଳି ବର୍ଷଣ କରିପାରିବ । ଏହା ଏକ ଆଣ୍ଟିମେରାଇନ ହେଲିକପ୍ଟର ଅଟେ ।

କାମୋବ କେଏ ୨୭
ଆଇଏନଏସ ବିକ୍ରାନ୍ତରେ କାମୋବ ହେଲିକପ୍ଟର ମୁତୟନ ଅଛି । ଏହାକୁ ୩ ଜଣ ମିଶିକି ଉଡାଇଥାନ୍ତି । ଏହା ୧୬ ଯବାନ କିମ୍ବା ୪୦୦୦ କେଜି ଓଜନ ନେଇ ଉଡିବାର କ୍ଷମତା ରଖିଛି । ୩୭.୧ ଫୁଟ ଲମ୍ବା ବିଶିଷ୍ଟ ଏହି ହେଲିକପ୍ଟରର ଉଚ୍ଚତା ୧୮.୧ ଫୁଟ ରହିଛି । ଏହା ଅତିବେଶିରେ ୨୭୦ କିଲୋମିଟର ପ୍ରତିଘଣ୍ଟା ସ୍ପିଡରେ ଯାଇପାରେ । ଏହାର ରେଞ୍ଜ ୯୮୦ କିଲୋମିଟର ରହିଛି । ଏହାସହ ଅତିବେଶୀରେ ୧୬ ହଜାର ଫୁଟ ଉଡିପାରେ । ଏଥିରେ ଟାରପିଡୋ, ମେସିନ ଗନ୍, ୩୦ ମିମିର କେନନ କିମ୍ବା ବମ, ରେକଟ ଲଗାଯାଇପାରିବ ।

ଆଇଏନଏସ ବିକ୍ରାନ୍ତକୁ ଆହୁରି ଅଧିକ ଶକ୍ତିଶାଳୀ କରିବାକୁ ଯୋଜନା ଚାଲିଛି । ଏଥିପାଇଁ ଦକ୍ଷ, ଘାତକ ଆଉ ଆଧୁନିକ ଫାଇଟର ଜେଟର ସନ୍ଧାନରେ ରହିଛି ଭାରତ । ତେବେ ରାଫେଲ, ଏଫ ୧୮ ସୁପର ହନେଟ ଓ ମିଗ-୨୯ କେ ଫାଇଟର ଜେଟ ଉପରେ ନଜର ରହିଛି । ଆଗାମୀ ଦିନରେ ଏହି ସବୁ ଲଢୁଆ ବିମାନ ବିକ୍ରାନ୍ତକୁ ଶକ୍ତି ଯୋଗାଇ ପାରନ୍ତି । ଯାହା ଭବିଷ୍ୟତରେ ଶତ୍ରୁଙ୍କ ନିଦ ହଜାଇ ପାରେ ।