ଗୋରଖପୁରରୁ ନିର୍ବାଚନ ଲଢିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୟୁପି ପାଇଁ ଘୋଷଣା ହେଲା ବିଜେପିର ପ୍ରଥମ ଓ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା 

123

କନକ ବ୍ୟୁରୋ: ଗୋରଖପୁର ବିଧାନସଭା ଆସନରୁ ଲଢିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ ଅଯୋଧ୍ୟା କିମ୍ବା ମଥୁରାରୁ ଲଢିପାରନ୍ତି ବୋଲିକଳ୍ପନା ଜଳ୍ପନା କରାଯାଉଥିଲା । ହେଲେ ପ୍ରଥମଥର ଲାଗି ଗୋରଖପୁର ବିଧାନସଭା କ୍ଷେତ୍ରରୁ ଲଢିବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ । ଯଦିଓ ଏଠାରୁ ସେ ୫ଥର ସଂସଦକୁ ନିର୍ବାଚିତ ହୋଇଛନ୍ତି । ୨୦୧୭ରେ ବିଜେପିକୁ ବିପୁଳ ଜନମତ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ପରେ ଲୋକସଭା ଆସନରୁ ଇସ୍ତଫା ଦେଇ ୟୁପି ବିଧାନପରିଷଦକୁ ନିର୍ବାଚିତ ହୋଇଥିଲେ ଯୋଗୀ । ଏଥର କିନ୍ତୁ ନିଜ ପାରମ୍ପରିକ ଆସନ ଗୋରଖପୁରରୁ ବିଧାନସଭାକୁ ନିର୍ବାଚିତ ହେବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ ।

ୟୁପିରେ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଘୋଷଣାକରିଛି ଭାରତୀୟ ଜନତା ପାର୍ଟି । ଏହି ଦୁଇ ପର୍ଯ୍ୟାୟରେ ମୋଟ୍ ୧୧୩ ଆସନ ଲାଗି ମତଦାନ ହେବାକୁ ଥିବାବେଳେ ୧୦୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ୟୁପି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଏହି ଦୁଇ ପର୍ଯ୍ୟାୟରେ ନିର୍ବାଚନ ଲଢୁନଥିଲେ ମଧ୍ୟ ସେମାନଙ୍କ ନିର୍ବାଚନୀ କ୍ଷେତ୍ର ଘୋଷଣା କରାଯାଇଛି । ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପ୍ରୟାଗରାଜ ଜିଲ୍ଲା ସାରିଥୁ ଆସନରୁ ଲଢିବେ ବୋଲି ଦଳ ଘୋଷଣା କରିଛି ।

ବିଜେପି ପ୍ରାର୍ଥୀ ତାଲିକାର ଖାସ କଥା

  • ୮୩ ଜଣ ବର୍ତ୍ତମାନର ବିଧାୟକଙ୍କ ମଧ୍ୟରୁ ୬୩ ଜଣଙ୍କୁ ପୁନଃସୁଯୋଗ ମିଳିଛି
  • ବାକି ୨୦ ଜଣଙ୍କୁ ବଦଳାଇ ନୂଆ ମୁହଁକୁ ସୁଯୋଗ ଦିଆଯାଇଛି
  • ପ୍ରଥମ ପ୍ରାର୍ଥୀ ତାଲିକାରେ ୬୦ ପ୍ରତିଶତ ଓବିସି ଓ ଏସସି ପ୍ରାର୍ଥୀ ଅଛନ୍ତି
  • ୪୪ଟି ସିଟରେ ଓବିସି ଏବଂ ୧୯ଟି ଆସନରେ ଏସି ପ୍ରାର୍ଥୀ ଘୋଷଣା କରାଯାଇଛି
  • ବିଜେପି ତାର ପ୍ରଥମ ପ୍ରାର୍ଥୀ ତାଲିକାରେ ଦଳିତ ସଂପ୍ରଦାୟରୁ ୧୯ ଜଣଙ୍କୁ ସ୍ଥାନଦେଇଛି
  • ସେହିପରି ୧୦ ଜଣ ମହିଳା ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି

୪୦୩ ସଦସ୍ୟ ବିଶିଷ୍ଟ ୟୁପି ବିଧାନସଭା ଲାଗି ଫେବ୍ରୁଆରୀ ୧୦ ତାରିଖରୁ ଭୋଟ ଗ୍ରହଣ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୫୮ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫୫ ଏହିପରି ୧୧୩ଟି ଆସନରେ ମତଦାନ ହେବାକୁ ଥିବାବେଳେ ଏହି ଦୁଇ ପର୍ଯ୍ୟାୟ ଲାଗି ୧୦୫ ଜଣ ପ୍ରାର୍ଥଙ୍କ ନାଁ ଘୋଷଣା କରିଛି ବିଜେପି ।

ୟୁପି ନିର୍ବାଚନ ପୂର୍ବରୁ ଦଳିତ ଓ ପଛୁଆ ବର୍ଗଙ୍କୁ ନେଇ ଜୋରଦାର ହେବାରେ ଲାଗିଛି ରାଜନୀତି । ଓବିସିଙ୍କୁ ନ୍ୟାୟ ମିଳିନଥିବା ଅଭିଯୋଗରେ ଅସନ୍ତୁଷ୍ଟ ବିଜେପି ମନ୍ତ୍ରୀ ଓ ବିଧାୟକ ଅଖିଳେଶଙ୍କ ହାତ ଧରୁଥିବାବେଳେ ଏପଟେ ଦଳିତଙ୍କ ଘରେ ଖାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୂଚନାଯୋଗ୍ୟ ଯେ, ୨୦୧୭ରେ ଅଣ-ଯାଦବ ଓବିସି ଭୋଟ୍ ଉପରେ ଆଖି ପକାଇଥିଲା ବିଜେପି । କାରଣ ଯାଦବ ଓ ମୁସଲମାନ ଭୋଟ୍ ସମାଜବାଦୀ ପାର୍ଟି ସପକ୍ଷରେ ରହିଆସିଛି । ଏଥର କିନ୍ତୁ ଓବିସି ନେତାଙ୍କୁ ନିଜ ଆଡକୁ କରି ଅଣ-ଯାଦବ ଓବିସି ଭୋଟ୍ ହାତେଇବା ଚକ୍କରରେ ରହିଛି ଏସପି । ଯାହା ବିଜେପି ପାଇଁ ବଡ ଆହ୍ୱାନ ହେବାକୁ ଯାଉଛି ।