ଢିଙ୍କିଆରେ ପୋଲିସର ଲାଠି ଚାର୍ଜକୁ ବିରୋଧୀଙ୍କ ନିନ୍ଦା । ଆଲୋଚନା ଦ୍ୱାରା ସମାଧାନ ପାଇଁ ପରାମର୍ଶ ।

66

କନକ ବ୍ୟୁରୋ : ଢିଙ୍କିଆରେ ପୁଲିସର ଲାଠିମାଡ ପରେ ରାଜନୈତିକ ମହଲରେ ପ୍ରକାଶ ପାଇଛି ପ୍ରତିକ୍ରିୟା । ନେତା କହିଛନ୍ତି, ଏଭଳି ମାଡ ମାରି ଶିଳ୍ପ ପ୍ରତିଷ୍ଠା କରାଯାଇ ପାରିବ ନାହିଁ । କେବଳ ଆଲୋଚନା ହିଁ ଏକ ମାତ୍ର ରାସ୍ତା ବୋଲି ମତ ଦେଇଛନ୍ତି ।

ଢିଙ୍କିଆରେ ପାଚେରୀ ଓ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି, ପାନବରଜ ଉଚ୍ଛେଦ କାର୍ଯ୍ୟ ବନ୍ଦ । ଗ୍ରାମବାସୀଙ୍କ ବିରୋଧ ପରେ ଢିଙ୍କିଆରେ ଆଜି ପାଇଁ ପାନବରଜ ଉଚ୍ଛେଦ ବନ୍ଦ ରହିଛି । କିନ୍ତୁ ପାଚେରୀ ଓ ରାସ୍ତା ନିର୍ମାଣ କାମ ଜାରି ରଖିଛି ପ୍ରଶାସନ । ସରକାରୀ ଅଧିକୃତ ଜମିରେ ଥିବା ୬ଶହ ପାନ ବରଜ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଯାହାକୁ ବିରୋଧ କରିବାକୁ ଗ୍ରାମବାସୀମାନେ ଯିବା ସମୟରେ ଢ଼ିଙ୍କିଆବାସୀଙ୍କ ସହ ଶୁକ୍ରବାର ମୁହାଁମୁହିଁ ହୋଇଥିଲା ପୋଲିସ ।

ପୋଲିସର ଲାଠି ଚାର୍ଜକୁ ବିରୋଧୀଙ୍କ ନିନ୍ଦା । ଆଲୋଚନା ଦ୍ୱାରା ସମାଧାନ ପାଇଁ ପରାମର୍ଶ । ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନ କରୁଥିବା ଢ଼ିଙ୍କିଆ ଗ୍ରାମବାସୀଙ୍କ ଉପରେ ପୋଲିସର ଲାଠିମାଡକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ । ବିଜେପି, କଂଗ୍ରେସ, ବାମପନ୍ଥୀ ଦଳ ଢ଼ିଙ୍କିଆବାସୀଙ୍କ ଉପରେ ପୋଲିସର ବଳ ପ୍ରୟୋଗକୁ ନିନ୍ଦା କରିଛନ୍ତି । ଶାନ୍ତି କମିଟି କରି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଦୀର୍ଘ ୧୦ ବର୍ଷ ପରେ ପୁଣି ଥରେ ଢ଼ିଙ୍କିଆ ଅଶାନ୍ତ ହୋଇପଡିଥିବାରୁ ଏହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଏବେ ଅପେକ୍ଷା ଢ଼ିଙ୍କିଆରେ କେବେ ଫେରୁଛି ଶାନ୍ତି ? ଢ଼ିଙ୍କିଆ ଲୋକଙ୍କ ବିଶ୍ୱାସ ଜିତି, ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବାକୁ ସରକାର କି ପଦକ୍ଷେପ ନେଉଛନ୍ତି ?