ମଝିରେ ପଡିଥିଲା ମୃତଦେହ । ଚାରିପଟେ ଘେରି ରହିଥିଲେ ୧୨୫ ସାପ ।

504

କନକ ବ୍ୟୁରୋ: ମଝିରେ ପଡିଥିଲା ବ୍ୟକ୍ତିଙ୍କ ମୃତଦେହ । ଆଉ ଚାରିପଟେ ଘେରି ରହିଥିଲେ ପାଖାପାଖି ୧୨୫ରୁ ଅଧିକ ସାପ । ତାହା ପୁଣି ଅତି ବିଷଧର ସାପ । ଆପଣ ଭାବୁଥିବେ ସାପ କାମୁଡାରେ ଲୋକଟିର ମୃତ୍ୟୁ ହୋଇଥିବା ନିଶ୍ଚୟ । ହେଲେ ଆଦୌ ନୁହେଁ । ଏହି କଥାଟା ଭାରି ଅଡୁଆ ଲାଗୁଥିଲେ ବି ଏକଦମ୍ ସତ । ଏଭଳି ଏକ ଅଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଆମେରିକା ମ୍ୟାରିଲ୍ୟାଣ୍ଡ ଇଲାକାରେ ।

ଘଟଣା ଥିଲା ଏପରି । ବ୍ୟକ୍ତି ଜଣଙ୍କୁ ଦିନେ ଦୁଇ ଦିନ ନଦେଖି ତାଙ୍କ ପଡୋଶୀଙ୍କର ସନ୍ଦେହ ହୋଇଥିଲା । ଯାଇ ଦେଖିବା ବେଳକୁ ବ୍ୟକ୍ତିଜଣଙ୍କ କବାଟ ଭିତର ପଟୁ ବନ୍ଦ ଥିଲା । ଡାକିଲେ କୌଣସି ଉତ୍ତର ମିଳିନଥିଲା । ତେଣୁ ପଡୋଶୀଙ୍କ ମନରେ ସନ୍ଦେହ ହୋଇଥିଲା । ତେଣୁ ସେ ତୁରନ୍ତୁ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଆସି କବାଟ ଭାଙ୍ଗି ଯାହା ଦେଖିଲା ସେଥିରେ ସେମାନଙ୍କର ଆଶ୍ଚର୍ଯ୍ୟର ସୀମା ରହିନଥିଲା । କାରଣ ପୂର୍ବରୁ ଏପରି କୌଣସି ଘଟଣା ସେମାନେ ଦେଖିନଥିଲେ । ମଝିରେ ପଡିଥିଲା । ଆଉ ତା ଚାରିପଟେ ଘେରି ରହିଥିଲେ ୧୨୫ ପାଖାପାଖି ସାପ । ସେଥିରୁ ଅଧିକାଂଶ ବିଷଧର ସାପ ଥିଲେ । ଆଉ ସବୁଠୁ ଚକିତ କରିଦେବା ଭଳି ଦୃଶ୍ୟ ଥିଲା ମୃତ ବ୍ୟକ୍ତିଙ୍କ ପାଖରେ ଶୋଇ ରହିଥିବା ହଳଦି ରଙ୍ଗର ଏକ ବିଶାଳ ବର୍ମିଜ୍ ଅଜଗର । କୌଣସି ଘରୁ ଏତେ ସଂଖ୍ୟକ ସାପ ଏକାବେଳକେ ମିଳିବା ସତରେ ଏକ ଚମକାଇଦେବା ଭଳି ଘଟଣା ।

ଏଥିରୁ ଆପଣ ଭାବୁଥିବେ ଯେ, ସାପ କାମୁଡାରେ ହିଁ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିବ । ହେଲେ ଆଦୌ ନୁହେଁ । ବ୍ୟକ୍ତିଜଣଙ୍କର ଶରୀରରେ କୌଣସିଠାରେ ବି ସାପ କାମୁଡାର ଗୋଟିଏ ହେଲେ ଦାଗ ନଥିଲା । କିମ୍ବା ତାଙ୍କ ମୃତ ଶରୀରରେ ଅନ୍ୟ କୌଣସି ପ୍ରକାରର କ୍ଷତ ଚିହ୍ନ ନଥିବା ପୋଲିସ କହିଛି । ହେଲେ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ମୃତ ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଯାଇ ବ୍ୟକ୍ତି ଜଣକଙ୍କ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ବ୍ୟକ୍ତିଙ୍କ ଘର ପାଖରେ ରହୁଥିବା ଲୋକେ ଭୟଭୀତ ହୋଇପଡିଥିବାବେଳେ ସେମାନଙ୍କୁ ଆଶ୍ୱସ୍ତ କରିଛି ପୋଲିସ । କାରଣ ଘର ଭିତରେ ଥିବା ସମସ୍ତ ସାପଙ୍କୁ ଧରି ନିଆଯାଇଛି । ତେଣୁ ଆଖପାଖ ଲୋକଙ୍କ ପାଇଁ ସାପର କୌଣସି ଭୟ ନଥିବା ପୋଲିସ ପକ୍ଷରୁ ଆଶ୍ୱସ୍ତ କରାଯାଇଛି ।