ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜନ୍ମଜୟନ୍ତୀ : ବ୍ରିଟିଶ ସରକାର ବିରୋଧରେ ସଶସ୍ତ୍ର ବିପ୍ଳବ ଆଣିଥିଲେ

169

କନକ ବ୍ୟୁରୋ : ଆଜି ସ୍ୱାଧୀନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜନ୍ମଜୟନ୍ତୀ । ୧୮୦୯ ମସିହାହ ଆଜିର ଦିନରେ ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗାଁରେ ବୀର ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ । ସୁରେନ୍ଦ୍ର ସାଏ ୨୮ ଫେବୃଆରୀ ୧୮୮୪ରେ ମଧ୍ୟପ୍ରଦେଶର ଅସୁରଗଡ ଜେଲରେ ବନ୍ଦୀ ଅବସ୍ଥାରେ ଆଖି ବୁଜି ଥିଲେ । ଇଂରେଜ ମାନଙ୍କ ବିରୋଧରେ ତାଙ୍କର ସଶସ୍ତ୍ର ବିପ୍ଳବ ଓ ବୀରତ୍ୱକୁ ଆଜି ବି ସାରା ଦେଶ ମନେ ପକାଉଛି ।

୧୮୫୭ର ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ସିପାହୀ ବିଦ୍ରୋହର ବହୁ ବର୍ଷ ଆଗରୁ ସମ୍ବଲପୁର ମାଟିରେ ଇଂରେଜ ସରକାର ବିରୋଧରେ ବିପ୍ଳବର ନିଆଁ ଜଳାଇ ଦେଇଥିଲେ ସୁରେନ୍ଦ୍ର ସାଏ । ତାଙ୍କର ଗରିଲା ଯୁଦ୍ଧ ଆଗରେ ନୟାନ୍ତ ହୋଇଥିଲେ ବ୍ରିଟିଶ ସରକାର । ଆଜି ସେହି ବିପ୍ଳବୀଙ୍କ ୨୧୩ ତମ ଜୟନ୍ତୀ ଅବସରରେ ସାରା ରାଜ୍ୟ ଏହି ବିପ୍ଳବୀଙ୍କୁ ମନେ ପକାଉଛି । ରାଜ୍ୟର ବିଭିନ୍ନ ସହରରେ ତାଙ୍କର ଜନ୍ମଜୟନ୍ତୀ ପାଳନ ହେଉଛି । ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଜୟନ୍ତୀ ପାଳିତ ହେଉଛି ।