ସୁଗାର ଫ୍ରି ମିଠାରୁ ଚିନି ମିଳିବା ପରେ ସଜାଗ ହେଲା ଖାଦ୍ୟ ନିରାପତା ଆୟୁକ୍ତ । ମିଠା ଦୋକାନୀଙ୍କ ପାଇଁ ଶୀଘ୍ର ଆସିବ ଉପଦେଶାବଳୀ

87

କନକ ବ୍ୟୁରୋ : ଖବର ବାଜିଲା ଖାଦ୍ୟ ନିରାପତା ଆୟୁକ୍ତ ଚେତିଲା । ସୁଗାର ଫ୍ରି ମିଠା ନାଁରେ ଚିନି ମିଶ୍ରିତ ମିଠା ବିକ୍ରି ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହେବା ପରେ ତତ୍ପର ହୋଇଛି ରାଜ୍ୟ ଖାଦ୍ୟ ନିରାପତା ଆୟୁକ୍ତ । ସୁଗାରଫ୍ରି ମିଠା ନାଁରେ ଅସାଧୁ ମିଠା ବ୍ୟବସାୟୀ ଜାଲିଆତି କରୁଥିଲେ । ସୁଗାର ଫ୍ରି ମିଠାକୁ ନେଇ ସତ ସାମ୍ନାକୁ ଆସିବା ପରେ ଏନେଇ ନିର୍ଦ୍ଦେଶାବଳୀ ଜାରି କରିବାକୁ ଯାଉଛନ୍ତି ରାଜ୍ୟ ଖାଦ୍ୟ ନିରାପତା ଆୟୁକ୍ତ । ଏଣିକି କୌଣସି ମିଠା ଦୋକାନୀ ନିଜ ଦୋକାନରେ ପ୍ରସ୍ତୁତ ମିଠାକୁ ସୁଗାର ଫ୍ରି ବୋଲି ଲେଖିପାରିବେ ନାହିଁ । ସୁଗାର ଫ୍ରି ବଦଳରେ କମ୍ କ୍ୟାଲୋରୀଯୁକ୍ତ ମିଠା ବୋଲି ଉଲ୍ଲେଖ କରିବେ । ଏହାସହ ଦୋକାନୀ ମାନଙ୍କୁ ସଚେତନ କରିବା ଲାଗି ଖୁବ ଶୀଘ୍ର ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।
ମିଠା ଦୋକାନୀମାନେ ମଧୁମେହ ରୋଗୀଙ୍କ ପାଇଁ ପ୍ରସ୍ତୁତ କରୁଥିବା ମିଠା ସୁଗାର ଫ୍ରି ବୋଲି ଉଲ୍ଲେଖ କରୁଛନ୍ତି । ମାତ୍ର ପରୀକ୍ଷାଗାରରେ ପରୀକ୍ଷା ପରେ ଏଥିରେ ସୁଗାର ଥିବା ସ୍ପଷ୍ଟ ହୋଇଥିଲା । ରାଜଧାନୀ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ମିଠା ଦୋକାନରୁ ସଂଗ୍ରହ କରାଯାଇଥିଲା ସୁଗାର ଫ୍ରି ଛେନାପୋଡ । ଦୋକାନୀ ଦାବି କରିଥିଲେ ଯେ, ଏଥିରେ ସ୍ୱିଟନର ମିଶାଯାଇଛି, ସୁଗାର ବା ଚିନି ଆଦୌ ଦିଆଯାଇ ନାହିଁ । ସୁଗାର ଫ୍ରି ଛେନାପୋଡର ମାନ ପରୀକ୍ଷା ପାଇଁ ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନାଗାରରେ ଦାଖଲ କରାଯାଇଥିଲା । ଫୁଡ ସିକ୍ୟୁରିଟି ଷ୍ଟାଣ୍ଡାର୍ଡ ଅଥରଟି ଅଫ୍ ଇଣ୍ଡିଆର ମାନକ ଅନୁଯାୟୀ ଏହି ନମୁନାର ପରୀକ୍ଷା କରାଯାଇଥିଲା । ଆଉ ରିପୋର୍ଟରେ ଲେଖାଯାଇଛି ଦିଆଯାଇଥିବା ନମୁନାରେ ସୁଗାର ବା ଚିନିର ସ୍ୱାଦ ମିଳିଥିଲା । ସ୍ପଷ୍ଟ ଭାବେ ଟେଷ୍ଟ ଅଫ୍ ସୁଗାର ପାଖରେ ପଜିଟିଭ ଲେଖାଯାଇଥିଲା ।