ପୁଣି ବିବାଦରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ସର୍ବଭାରତୀୟ ସ୍ତରର ଅଧିକାରୀଙ୍କୁ କହିଲେ ଡକାୟତ ।

375

କନକ ବ୍ୟୁରୋ: ପୁଣି ବିବାଦରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ପୁଣି ତାଙ୍କ ବୟାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଏଭଳି କିଛି କଥା କହିଛନ୍ତି, ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି , ସର୍ବଭାରତୀୟ ସ୍ତରର ଅଧିକାରୀ ଜଣେ ଜଣେ ଡକାୟତ । ତାଙ୍କଠୁ ବଡ଼ ଡକାୟତ ପୃଥିବୀରେ କେହି ନାହାନ୍ତି ।

ବାଲେଶ୍ବର ଜିଲ୍ଲା ବାଲିଆପାଳ ଜାମକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ୟୁପିଏସସିରେ ନିଯୁକ୍ତି ପାଉଥିବା ଅଧିକାରୀଙ୍କୁ ଡକାୟତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଅଭିଭାଷଣରେ ବିଶ୍ବେଶ୍ବର କହିଛନ୍ତି ଯେ, ମୁଁ ଦିଲ୍ଲୀରେ ଯେଉଁଠି ରହୁଛି, ତା’ର ପଛପଟେ ୟୁପିଏସସି ଭବନ ରହିଛି । ସେଠାରେ ସର୍ବଭାରତୀୟ ସ୍ତରର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଏ । ସେ ଭବନରେ ହେଉଥିବା କାର୍ଯ୍ୟକଳାପକୁ ଦେଖି ମୁଁ ଜାଣିଲି, ସର୍ବଭାରତୀୟ ସ୍ତରର ଅଧିକାରୀ ହେଉଛନ୍ତି ସବୁଠୁ ବଡ଼ ଡକାୟତ । ପୂର୍ବରୁ ସର୍ବଭାରତୀୟ ଅଧିକାରୀଙ୍କ ପ୍ରତି ମୋର ଏକ ଭିନ୍ନ ଧାରଣା ଥିଲା । ସେମାନଙ୍କୁ ଜ୍ଞାନୀ ବୋଲି ମୁଁ ଭାବୁଥିଲି କିନ୍ତୁ ଏବେ ଭାବୁଛି ସେମାନେ ବଡ଼ ଡକାୟତ । ତେବେ ଜଣେ କେନ୍ଦ୍ରମନ୍ତ୍ରୀଙ୍କର ଏଭଳି ବୟାନକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ । ମନ୍ତ୍ରୀ କାହିଁକି ଏମିତି କହିଲେ, କେଉଁ ଆଧାରରେ ଏମିତି କଥା କହିଲେ, ତାକୁ ନେଇ ଉଠିଛି ପ୍ରଶ୍ନ ।