ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ୨୨ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ । ଶିକ୍ଷାକୁ ନେଇ କହିଲେ ଏଭଳି କଥା

63

କନକ ବ୍ୟୁରୋ : ଭାରତକୁ ଆର୍ଥିକ ମହାଶକ୍ତି ଭାବରେ ପ୍ରତିଷ୍ଠିତ କରିବା ପାଇଁ ଶିକ୍ଷାକୁ ମାଧ୍ୟମ କରିବାକୁ ପଡ଼ିବ ବୋଲି ଶନିବାର ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ୨୨ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୫ଜି ସେବାର ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା ଭାରତ ଆଗାମୀ ଦିନରେ ଆର୍ଥିକ ମହାଶକ୍ତିରେ ପରିଣତ ହେବା ସହ ଟେକ୍ନୋଲୋଜିକାଲ ସୁପର ପାଓ୍ୱାର ହେବ । ଭାରତ ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ ହେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ନବସୃଜନ ଏବଂ ଉଦ୍ୟମିତା ହିଁ ଏହି ଉଦ୍ଦେଶ୍ୟକୁ ପୂରଣ କରିବାରେ ଆଗକୁ ନେବ । ଏଥିପାଇଁ ଆମକୁ ଶିକ୍ଷା ମାଧ୍ୟମରେ ନିଯୁକ୍ତିଦାତା ଓ ୱେଲଥ୍ କ୍ରିଏଟର ପ୍ରସ୍ତୁତ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଜାତୀୟ ଶିକ୍ଷା ନୀତିରେ ବହୁମୁଖୀ ଆଭିମୁଖ୍ୟ ଶିକ୍ଷା ସହ ମାତୃଭାଷାକୁ ଗୁରୁତ୍ୱ ଦିଆଯାଇଛି । ଗୁଣାତ୍ମକ ଶିକ୍ଷା, ଗବେଷଣା, ମଲଟି ୟୁନିଭର୍ସିଟିର କଳ୍ପନା ଭଳି ଆଭିମୁଖ୍ୟ ରହିଛି । ମାତ୍ର ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ, ଚାଷ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନ ଓ ନୂଆ ମହାମାରୀ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ସମାଜ ଏହି ସବୁ ସମସ୍ୟାର ଆହ୍ୱାନର ସମାଧାନ ପାଇଁ ବିଦ୍ୱାନ ବ୍ୟକ୍ତିଙ୍କ ପାଖରେ ଆସ୍ଥା ରଖିଛି । ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଏହି ସବୁ ଆହ୍ୱାନକୁ ସମାଧାନ କରିବା ଦିଗରେ ରାସ୍ତା ବାହାର କରିବାରେ ସମର୍ଥ । ହାଇଦ୍ରାବାଦ ଦେଶରେ ଏକ ଅଗ୍ରଣୀ ମେଡିକାଲ ଟେକ୍ନୋଲୋଜି ହବ୍ ଭାବରେ ଉଭା ହେଉଛି । ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଏହି ସମାବର୍ତ୍ତନ ସମାରୋହରେ ଅଧିକାଂଶ ଛାତ୍ରୀ ପିଏଚଡ଼ି ସମେତ ବିଭିନ୍ନ ଡିଗ୍ରୀରେ ସମ୍ମାନିତ ହେବା ଖୁସିର ବିଷୟ । ଦେଶର ଅର୍ଥନୀତିକୁ ଗତିଶୀଳ କରିବାରେ ଆମର ନାରୀଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ।

ଏହାବ୍ୟତିତ ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ସୁରକ୍ଷା, ବିଶ୍ୱରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା କରିବା, ସ୍ୱାସ୍ଥ୍ୟସେବା ଏବଂ ଅର୍ଥନୈତିକ ମଡେଲ ପ୍ରଦାନ କରିବାରେ ଭାରତ ବେଞ୍ଚମାର୍କ ସ୍ଥାପନ କରିବାକୁ ଯାଉଛି । ବିଶ୍ୱ ଭାରତ ଠାରୁ ଅନେକ ଆଶା ରଖିଛି । ଆଗାମୀ ୨୫ ବର୍ଷ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମେ ଅମୃତ କାଳରେ ପ୍ରବେଶ କରୁଥିବା ବେଳେ ଜାତୀୟ ଶିକ୍ଷା ନୀତି ମାନବତାର କଲ୍ୟାଣ ପାଇଁ ଏକ ମାର୍ଗଦର୍ଶନ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ହାଇଦ୍ରାବାଦ ସ୍ଥିତ ଆଡମିନଷ୍ଟ୍ରେଟିଭ୍ ଷ୍ଟାଫ୍ କଲେଜ୍ ଅଫ୍ ଇଣ୍ଡିଆ ଶିକ୍ଷାନୁଷ୍ଠାନକୁ ଗସ୍ତ କରିବା ସହ ସେଠାକାର ପ୍ରଫେସର ଓ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଆଡମିନଷ୍ଟ୍ରେଟିଭ୍ ଷ୍ଟାଫ୍ କଲେଜ୍ ଅଫ୍ ଇଣ୍ଡିଆ ଓ କାପାସିଟି ବିଲଡିଂ କମିଶନ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ପାଠପଢ଼ା ଏବଂ ପ୍ରଗତି ଇକୋସିଷ୍ଟମକୁ ଭବିଷ୍ୟତ ପାଇଁ ଦାୟିତ୍ୱବାନ ପ୍ରଶାସନିକ ଅଧିକାରୀ ପ୍ରସ୍ତୁତ କରିବା ଦିଗରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏହି ଏମଓୟୁ ସ୍ୱାକ୍ଷର ହୋଇଛି ।