ଆକ୍ଟିଭ୍ ମୋଡରେ ରାଜ୍ୟ ବିଜେପି । ବିରୋଧୀ ଦଳ ନେତା କହିଲେ, ୨୦୨୪ରେ ବିଜେଡି ମୁକ୍ତ ହେବ ଓଡିଶା । ସେପଟେ ଜବାବ ରଖିଲା ବିଜେଡି…

118

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ବିଶେଷ କରି ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ବିଜେଡି ଓ ବିଜେପି ମଧ୍ୟରେ ବୟାନବାଜି ରାଜ୍ୟରେ ରାଜନୈତିକ ଉଷ୍ମତା ବଢାଇ ଦେଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ପରେ ଜୋଶରେ ଅଛନ୍ତି ବିଜେପି ନେତା ଓ କର୍ମୀ । ସେପଟେ ବିଜେଡି ମଧ୍ୟ ପୁଣି ଥରେ କ୍ଷମତାକୁ ଫେରିବାକୁ ଚଲାଇଛି ଜୋରଦାର ପ୍ରସ୍ତୁତି ।

  • ବିଜେଡି-ବିଜେପି ବୟାନବାଜି
  • ବିଜେଡି ମୁକ୍ତ ବନାମ ବିଜେଡି ମୟ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆହ୍ୱାନ, ରାଜ୍ୟ ବିଜେପି ନେତାଙ୍କ ଭିତରେ ଜୋଶ ଭରିଦେଇଛି । ପୂଜା ପରଠାରୁ ଶାସକ ଦଳ ବିରୋଧରେ ଜୋରଦାର ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛି । ଆଜି ଏନେଇ ସୂଚନା ଦେଇ କହିଛନ୍ତି, ଓଡ଼ିଶା ସରକାରଙ୍କ ବିରୋଧରେ ୨୨ ବର୍ଷର ଚାର୍ଜସିଟ୍ ତିଆରି କରିବ ବିଜେପି । ଜନତାଙ୍କ ଆଗରେ ରଖିବ ଦଳ । ଲୋକଙ୍କ ସମସ୍ୟାକୁୁ ଉପସ୍ଥାପିତ କରାଯିବ । ଆଗାମି ନିର୍ବାଚନରେ ବିଜେଡି ସହ କୌଣସି ବୁଝାବଣା ହେବ ନାହିଁ । ରାଜରାସ୍ତାରେ ଲଢ଼େଇ ହେବ । ବିଜେଡି ସବୁବେଳେ ଫାଇଦାରେ ରହିବାକୁ ବିଜେଡି-ବିଜେପି ଏକ ବୋଲି ବାର୍ତ୍ତା ଦେଇଥାଏ । ଏବଂ ୨୦୨୪ରେ ବିଜେଡ଼ି ମୁକ୍ତ ହେବ ରାଜ୍ୟ ।

ନଡ୍ଡାଙ୍କ ଆହ୍ୱାନ ଓ ବିଜେପି ନେତାଙ୍କ ଦମ୍ଭୋକ୍ତିକୁ ନେଇ ଜବାବ ରଖିଛି ବିଜେଡି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିଜୁ ଜନତା ଦଳର ପ୍ରଶିକ୍ଷଣ ଦଳୀୟ ରାଜନୀତିର ଉଦାହରଣ । ପଦଯାତ୍ରା ସମୟରେ ସରକାର ଓ ଦଳର ବାର୍ତ୍ତା ଲୋକଙ୍କ ପାଖରେ ପହଁଚାଇବେ ବିଜେଡି ନେତା ଓ କର୍ମୀ । ଆଗକୁ ଓଡିଶା ବିଜେଡିମୟ ହେବ ।

ସେପଟେ ଉଭୟ ବିଜେଡି-ବିଜେପିକୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କହିଛନ୍ତି, ବିଜେଡି-ବିଜେପି ଯେତେ ଶକ୍ତି ପ୍ରଦର୍ଶନ କଲେ ବି କିଛି ଫାଇଦା ମିଳିବନି । ଓଡିଶା ଲୋକ ସବୁ ଦେଖୁଛନ୍ତି । ତେବେ ନିର୍ବାଚନକୁ ଢ଼େର ସମୟ ବାକି ଥିଲେ ବି ରାଜ୍ୟର ପ୍ରମୁଖ ରାଜନୈତିକ ଦଳଙ୍କ ପ୍ରସ୍ତୁତି ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି । ଆଗକୁ ଏହା ଆହୁରି ରୋଚକ ହେବ ବୋଲି କୁହାଯାଉଛି ।