ବିଜେପି ଘୋଷଣା କଲା ପ୍ରାର୍ଥୀ ତାଲିକା । କେଶରଗଞ୍ଜରୁ ବ୍ରିଜଭୂଷଣଙ୍କ ପୁଅ ଓ ରାୟବରେଲୀରୁ ଦିନେଶ ପ୍ରତାପଙ୍କୁ ବିଜେପି ଟିକେଟ

306

କନକ ବ୍ୟୁରୋ : ଲୋକସଭା ନିର୍ବାଚନ କ୍ରମରେ ବିଜେପି ତରଫରୁ ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହି କ୍ରମରେ ଦଳ ଉତ୍ତର ପ୍ରଦେଶର କେଶରଗଞ୍ଜ ଲୋକସଭା ଆସନ ପାଇଁ ସାଂସଦ ଥିବା ବ୍ରିଜଭୂଷଣ ସିଂଙ୍କ ବଦଳରେ ତାଙ୍କ ସାନ ପୁଅ କରନ ଭୂଷଣଙ୍କୁ ଟିକେଟ ଦେଇଛି । ସେହିଭଳି ବହୁପ୍ରତିକ୍ଷୀତ ରାୟବରେଲୀ ଆସନ ପାଇଁ ପାର୍ଟି ଦିନେଶ ପ୍ରତାପ ସିଂଙ୍କୁ ପ୍ରାର୍ଥୀ କରିଛି ।

କେଶରଗଞ୍ଜ ଆସନ ପାଇଁ ବିଜେପି ଏବେର ସାଂସଦ ବ୍ରିଜଭୂଷଣଙ୍କ ଟିକେଟ କାଟି ତାଙ୍କ ସାନପୁଅ କରଣ ଭୂଷଣଙ୍କୁ ଟିକେଟ ଦେଇଛି । ମହିଳା କୁସ୍ତଯୋଦ୍ଧାଙ୍କ ସହ ଅସଦାଚରଣ ମାମଲାରେ ବ୍ରିଜଭୂଷଣଙ୍କୁ ବ୍ୟାକଫୁଟକୁ ପଠାଇ ଦେଇଛି ବିଜେପି । ହେଲେ ଦଳ ଭିତରେ ବ୍ରିଜଭୂଷଣଙ୍କ ଦବଦବା କାରଣରୁ ତାଙ୍କ ସାନପୁଅଙ୍କୁ ଦଳ ପ୍ରାର୍ଥୀ କରିଛି । କରଣ ଭୂଷଣ ପ୍ରଥମଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

ସେହିଭଳି ୨୦୧୯ରେ ରାୟବରେଲୀ ଆସନରୁ ବିଜେପି ଟିକେଟରେ ଲଢି ସୋନିଆ ଗାନ୍ଧୀଙ୍କ ଠାରୁ ପରାଜିତ ହୋଇଥିବା ଦିନେଶ ପ୍ରତାପ ସିଂଙ୍କୁ ଦଳ ପୁଣିଥରେ ପ୍ରାର୍ଥୀ କରିଛି । ୨୦୧୯ ମସିହାରେ ସେ ସୋନିଆ ଗାନ୍ଧୀଙ୍କ ଠାରୁ ୧.୬ ଲକ୍ଷ ଭୋଟରେ ପରାଜିତ ହୋଇଥିଲେ । ଅନ୍ୟପଟେ ଉତ୍ତର ପ୍ରଦେଶର ଦୁଇ ହାଇଭୋଲଟେଜ ଆସନ ରାୟବରେଲୀ ଓ ଆମେଠୀ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ । ହେଲେ ଆସନ୍ତାକାଲି ନାମାଙ୍କନର ଶେଷ ତାରିଖ ଥିବାରୁ ଆଜି ସନ୍ଧ୍ୟା ସୁଦ୍ଧା କଂଗ୍ରେସ ଏହି ଦୁଇ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ।