ବ୍ରିଜଭୂଷଣଙ୍କ ଟିକେଟ କାଟିପାରେ ବିଜେପି । କେଶରଗଞ୍ଜ ଲୋକସଭା ଆସନରୁ ନିର୍ବାଚନ ଲଢିବେ ବ୍ରିଜଭୂଷଣଙ୍କ ପୁଅ କରନ୍ ଭୂଷଣ !

118

କନକ ବ୍ୟୁରୋ : ବିଜେପିର ଦବଙ୍ଗନେତା ତଥା କେଶରଗଞ୍ଚ ଲୋକସଭା ଆସନରୁ ସାଂସଦ ଥିବା ବ୍ରିଜଭୂଷଣ ସିଂଙ୍କ ଟିକେଟ ବିଜେପି କାଟିପାରେ ତାଙ୍କ ସ୍ଥାନରେ ତାଙ୍କ ପୁଅ କରନ ଭୂଷଣଙ୍କୁ ଟିକେଟ ମିଳୁଥିବା ନେଇ ସୂତ୍ର ସୂଚନା ରହିଛି । ଆସନ୍ତା କାଲି ଏହି ଆସନ ପାଇଁ ନାମାଙ୍କନର ଶେଷ ତାରିଖ ଥିବାରୁ ସନ୍ଧ୍ୟା ସୁଦ୍ଧା ଏନେଇ ସ୍ପଷ୍ଟ ଖବର ଆସିପାରେ । ହେଲେ ସୂତ୍ର ସୂଚନା ମୁତାବକ କରନ ଭୂଷଣଙ୍କ ନାମରେ ୪ସେଟ୍ ନାମାଙ୍କନ ପତ୍ର କିଣାଯାଇଥିବା କୁହାଯାଉଛି ।

ବ୍ରିଜଭୂଷଣଙ୍କ ସାନ ପୁଅ କରନ ସିଂ ଏବେ କୁସ୍ତିସଂଘର ଅଧ୍ୟକ୍ଷ ରହିଛନ୍ତି । ଏହାସହ ସେ ଜାତୀୟ ସ୍ତରର ଜଣେ ବନ୍ଧୁକ ଚାଳକ । ସେ ଅଷ୍ଟ୍ରେଲିଆରୁ ବିଜନେସ୍ ମ୍ୟାନେଜମେଣ୍ଟ ପଡିଛନ୍ତି । କରନଙ୍କ ବଡ ଭାଇ ପ୍ରତୀକ ଭୂଷଣ ସିଂ ଏବେ ବିଧାୟକ ରହିଛନ୍ତି ।

କେଶରଗଞ୍ଜ ଲୋକସଭା ଆସନରୁ ବ୍ରିଜଭୂଷଣ ୩ ଥର ସାଂସଦ ଭାବେ ବିଜୟୀ ହୋଇଛନ୍ତି । ହେଲେ ଚଳିତ ଥର ମହିଳା କୁସ୍ତିଯୋଦ୍ଧାଙ୍କୁ ଅସଦାଚରଣ ମାମଲା ତାଙ୍କ ପାଇଁ ଭାରି ପଡିଛି । ମହିଳା କୁସ୍ତିଯୋଦ୍ଧାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ନେଇ କିଛି କୁସ୍ତିଯୋଦ୍ଧା ଅନେକ ଦିନ ଧରି ଦିଲ୍ଲୀର ଜନ୍ତର ମନ୍ତର ଠାରେ ଧାରଣା ଦେବା ପରେ ଦିଲ୍ଲୀ ପୋଲିସ ଏନେଇ ବ୍ରିଜଭୂଷଣଙ୍କ ନାମରେ ମାମଲା ରୁଜୁ କରିଛି । ଏବେ ତାଙ୍କ ନାମରେ ଏହି ମାମଲା ବିଚାରଧୀନ ଥିବାରୁ ତାଙ୍କ ଟିକେଟ ବିଜେପି କାଟିପାରେ ବୋଲି ଆକଳନ କରାଯାଉଛି ।