ବିଜେପିର ନିର୍ବାଚନୀ ପ୍ରଚାର ଦେଖିବାକୁ ଆସିବେ ବିଦେଶୀ ନେତା । ଜାଣନ୍ତୁ କେଉଁ କେଉଁ ଦେଶର ନେତାଙ୍କୁ ନିମନ୍ତ୍ରଣ କରିଛି ବିଜେପି

284

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟି ତରଫରୁ ବୁଧବାର ଦିନ ଏକ ବୟାନ ଜାରି କରି କୁହାଯାଇଛି କି, ୧୦ ଟି ଦେଶର ୧୮ ଟି ରାଜନୈତିକ ଦଳର ନେତା ବିଜେପିର ନିମନ୍ତ୍ରଣରେ ଭାରତର ନିର୍ବାଚନୀ ପ୍ରଚାର ଦେଖିବାକୁ ଆସୁଛନ୍ତି ।

ଭାରତୀୟ ଜନତା ପାର୍ଟିର ବିଦେଶନୀତି ବିଭାଗର ଇନଚାର୍ଜ ବିଜୟ ଚୌଟିୟାବାଲିଙ୍କ ଦ୍ୱାରା ଜାରି କରାଯାଇଥିବା ବୟାନ ମୁତାବକ ୧୦ଟି ଦେଶର ୧୮ ଟି ରାଜନୈତିକ ଦଳର ପ୍ରତିନିଧୀ ଭାରତରେ ପହଂଚିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ । ଏହା ବ୍ୟତୀତ ସମସ୍ତ ବଦେଶୀ ପ୍ରତିନିଧୀ ବିଦେଶମନ୍ତ୍ରୀ ଏସ୍ ଜୟଶଂକର ଓ ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସହ ମଧ୍ୟ ଭେଟ କରିବେ । ଭାରତକୁ ଆସୁଥିବା ସମସ୍ତ ପ୍ରତିନିଧୀମଣ୍ଡଳକୁ ପୁରା ନିର୍ବାଚନୀ ପ୍ରକ୍ରିୟା ସହ ବିଜେପିର ନିର୍ବାଚନ ଅଭିଯାନ ଓ ରଣନୀତି ବାବଦରେ ସୂଚନା ଦିଆଯିବ ।
ଏବେ ଜାଣିବା କେଉଁ ଦେଶରୁ କେଉଁ ପାର୍ଟିର ନେତା ଭାରତ ଆସୁଛନ୍ତି —
ଅଷ୍ଟ୍ରେଲିଆ – ଲିବରାଲ ପାର୍ଟି
ଭିଏତନାମ – କମ୍ୟୁନିଷ୍ଟ ପାର୍ଟି ଅଫ୍ ଭିଏତନାମ
ବାଂଲାଦେଶ – ବାଂଲାଦେଶ ଆୱାମୀ ଲିଗ୍
ୟୁଗାଣ୍ଡା – ନ୍ୟାସନାଲ ରେଜିଷ୍ଟାନ୍ସ ମୁଭମେଣ୍ଟ
ତାଞ୍ଜାନିଆ – ଚାମା ଚା ମାପିନ୍ଦୁଜି
ଋଷ- ୟୁନାଇଟେଡ ଏସିଆ ପାର୍ଟି
ଶ୍ରୀଲଙ୍କା – ଶ୍ରୀଲଙ୍କା ପୋଦୁଜାନା ପେରାମୁନା ଓ ୟୁନାଇଟେଡ ନ୍ୟାସନାଲ ପାର୍ଟି
ମରିଶସ୍ – ମିଲିଟାଣ୍ଟ ସୋସିଆଲିଷ୍ଟ ମୁଭମେଣ୍ଟ, ମରିଶସ ଲେବର ପାର୍ଟି, ମରିଶସ୍ ମିଲିଟାଣ୍ଟ ମୁଭମେଣ୍ଟ, ପାର୍ଟି ମରିଶସ ସୋଶାଲ ଡେମୋକ୍ରେଟ
ନେପାଳ – ନେପାଳୀ କଂଗ୍ରେସ, ଜନମତ ପାର୍ଟି, କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ, ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି

ସେପଟେ ଆମେରିକାର କୌଣସି ରାଜନୈତିକ ଦଳକୁ ନିମନ୍ତ୍ରଣ ମିଳିନାହିଁ । ଏହାକୁ ନେଇ ଜଣେ ବିଜେପି ନେତା ଏକ ଇଂରାଜୀ ଖବର କାଗଜକୁ କହିଛନ୍ତି କି, ଆମେରିକାର ରାଜନୈତିକଦଳମାନେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ବ୍ୟସ୍ତ ରହିଛନ୍ତି । ଏହାସହ ଆମେରିକାର ରାଜନୈତିକ ଦଳଗୁଡିକର ଷ୍ଟ୍ରକଚର ଭାରତ କିମ୍ବା ୟୁରୋପର ରାଜନୈତିକ ପାର୍ଟିଗୁଡିକର ଷ୍ଟ୍ରକଚର ଭଳି ନୁହେଁ । ତେଣୁ ଆମେରିକାର ରାଜନୈତିକ ପାର୍ଟିଗୁଡିକୁ ନିମନ୍ତ୍ରଣ କରାଯାଇନାହିଁ ।