ଡାକ୍ତର ହେଲେ ବିଜେପିର ବିଧାୟକ ପ୍ରାର୍ଥୀ: ବାରବାଟୀ-କଟକ ପାଇଁ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କଲା ବିଜେପି

1,467

କନକ ବ୍ୟୁରୋ: ଆଉ ୬ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ତେବେ ଏହାରି ଭିତରେ ବାରବାଟୀ-କଟକ ଟିକେଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଏଠାରୁ ଦଳ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଟିକେଟ ଦେଇଛି । ଯିଏ ଦିନେ ରୋଗୀ ସେବାରେ ନିଜକୁ ନିୟୋଜିତ କରିଥିଲେ ଆଜି ସେ ଲୋକଙ୍କ ସେବା କରିବାକୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ।

ତେବେ ବାରବାଟୀ-କଟକ ଆସନକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏହି ଆସନରେ ବିଜେପି କାହାକୁ ପ୍ରାର୍ଥୀ କରିବ ତାହା ସସପେନ୍ସ ରହିଥିଲା । ଓଲିଉଡ ଅଭିନେତା ଅନୁଭବ ମହାନ୍ତି ନିକଟରେ ବିଜେପିରେ ସାମିଲ ହୋଇଥିଲେ । ତେବେ ଦଳ ତାଙ୍କୁ ବାରବାଟୀ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା । ସେହିପରି ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ଭର୍ତ୍ତୃହରି ମହତାବ ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ ଭର୍ତ୍ତୃହରିଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ କରିଥିଲା ।

୧୯୯୫ରୁ ୨୦୦୪ ଯାଏଁ ଏହି ଆସନ ବିଜେପିର ଗଡ ରହିଥିଲା । ସମୀର ଦେ ୩ ଥର ବିଜେପି ଟିକେଟରୁ ନିର୍ବାଚନ ଲଢି ଏଠାରୁ ବିଧାୟକ ହୋଇଥିଲେ । ହେଲେ ୨୦୦୯ ଓ ୨୦୧୪ରେ ବିଜେଡି ଓ ୨୦୧୯ରେ କଂଗ୍ରେସ ଏଠାରେ ଜିତିଥିଲା । ତେବେ ଏହି ଆସନରେ ଏଥର ଦମଦାର ଲଢେଇ ଦେଖିବାକୁ ମିଳିବ । କାରଣ କଂଗ୍ରେସରୁ ଏଥର ମହମ୍ମଦ ମୋକିମଙ୍କ ବଦଳରେ ତାଙ୍କ ଝିଅଙ୍କୁ ସୋଫିଆ ଫିର୍ଦ୍ଦୋଶଙ୍କ ଟିକେଟ ମିଳିଥିବା ବେଳେ ବିଜେଡି ପ୍ରକାଶ ବେହେରାଙ୍କୁ ଟିକେଟ ଦେଇଛି ।