ଆମେରିକାରେ ଅସୁରକ୍ଷିତ ଭାରତୀୟ । ବାଇଡେନ ପ୍ରଶାସନର ଚିନ୍ତା ପ୍ରକଟ, ବିବୃତି ରଖିଲା ହ୍ୱାଇଟ ହାଉସ

694

କନକ ବ୍ୟୁରୋ :ବିଦେଶରେ ରହୁଥିବା ଭାରତୀୟଙ୍କ ପାଇଁ ଚିନ୍ତା ବଢ଼ିଛି । ବିଶେଷ କରି ଯେଉଁମାନେ ଆମେରିକାରେ ରହୁଛନ୍ତି ସେମାନଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠୁଛି    । ଏହାକୁ ନେଇ ଆମେରିକା ସରକାର ମଧ୍ୟ ଚିନ୍ତାରେ । ହ୍ୱାଇଟ ହାଉସପକ୍ଷରୁ ଏକ ବିବୃତି ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି କୌଣସି ପରିସ୍ଥିତିରେ ହିଂସାକୁ ପ୍ରଶୟ ଦିଆଯିବନି । ଭାରତୀୟଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ରୋକିବାକୁ ସମସ୍ତ ପ୍ରୟାସ କରାଯାଉଛି । ଭେଦଭାବ ଆଧାରରେ ଆକ୍ରମଣକୁ ସହ୍ୟ କରାଯିବନି । ହତ୍ୟା ଘଟଣାକୁ ନେଇ ଚିନ୍ତାରେ ବାଇଡେନ ପ୍ରଶାସନ ।

ନିକଟରେ ହରିଆଣାର ୨୫ବର୍ଷ ବୟସ୍କ ବିବେକ ସାହାନୀଙ୍କୁ ଜଣେ ନିଶାଶକ୍ତ ବ୍ୟକ୍ତିଙ୍କ ପିଟି ପିଟି ହତ୍ୟା କରିଥିଲେ । ସେପଟେ ପଡ୍ୟୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ମିଳିଥିଲା ନୀଳ ଆଚାର୍ଯ୍ୟ ନାମକ ଜଣେ ଭାରତୀୟ ଛାତ୍ରଙ୍କ ମୃତ ଦେହ । ସେହିପରି ଆମେରିକାର କାର୍ଲିଫୋଣ୍ଣିଆ ସହରରେ ୪ ଭାରତୀୟଙ୍କ ରହସ୍ୟଜନକ ମୃତ୍ୟୁ ଦୋହଲାଇଦେଇଛି । କେରଳ ଦମ୍ପତିଙ୍କ ସହ ଘର ଭିତରୁ ମିଳିଲା ଯମଜ ସନ୍ତାନଙ୍କ ମୃତଦେହ । ଆନନ୍ଦ ଓ ପ୍ରିୟଙ୍କାଙ୍କ ମୃତଦେହ ଗାଧୁଆ ଘରୁ ଉଦ୍ଧାର ହୋଇଥିବା ବେଳେ ଗୁଳିମାଡ଼ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସେହିପରି ଆକ୍ରମଣର ଶିକାର ହୋଇଥିବା ଆଉ ଜଣେ ଯୁବକ ହେଉଛନ୍ତି ହାଇଦ୍ରାବାଦର ସୟଦ ମଜାହର ଅଲ୍ଲୀ । ସଶସ୍ତ୍ର ଡକାୟତଙ୍କ ଆକ୍ରମଣର ଶିକାର ହୋଇଥିଲେ । ଗତ କିଛି ଦିନର ଘଟଣା ଉପରେ ଯଦି ନଜର ପକାଇବା ତେବେ ବିଦେଶରେ ଭାରତୀୟଙ୍କ ଉପରେ ଆକ୍ରମଣ ଘଟଣା ବେଶ ବୃଦ୍ଧି ପାଇଛି ।

ଆମେରିକାରେ ଅସୁରକ୍ଷିତ ଭାରତୀୟ
-୨୦୨୪ରୁ ଏବେ ସୁଦ୍ଧା ୫ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି
-ଗୋଟିଏ ପରିବାରର ୪ଜଣଙ୍କୁ ନୃଶଂସ ହତ୍ୟା କରାଯାଇଛି
-୨୦୧୮ରୁ ୨୦୨୪ ମଧ୍ୟରେ ପ୍ରାୟ ୪୦୩ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି
-ଯେଉଥିରେ ରହିଛି ହତ୍ୟା ଓ ପ୍ରାକୃତିକ ମୃତ୍ୟୁ ମାମଲା

ରୀତିମତ ହତ୍ୟାର ଖବର ମନକୁ ଯେତିକି ଆନ୍ଦୋଳିତ କରୁଛି ସେତିକି ପ୍ରଶ୍ନ ମଧ୍ୟ ଉଠାଉଛି । କାହିଁକି ଆମେରିକାରେ ହତ୍ୟାର ଶିକାର ହେଉଛନ୍ତି ଭାରତୀୟ? କାହିଁକି ଭାରତ ସରକାର ଏହାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ନାହିଁ?