ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମିଳିପାରେ ନୋବେଲ ପୁରସ୍କାର, କମିଟି ଆଗରେ ଦାବି ରଖିଲେ ୟୁରୋପୀୟ ନେତା

123

କନକ ବ୍ୟୁରୋ : ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ମିଳିପାରେ ବିଶ୍ୱର ସର୍ବଶ୍ରେଷ୍ଠ ନୋବେଲ ପୁରସ୍କାର । ଏନେଇ ୟୁରୋପ ମହାଦେଶର ଅନେକ ବଡ ବଡ ନେତା ଚୟନ କମିଟି ଆଗରେ ଦାବି ଉପସ୍ଥାପନ କରିଥିବା ଜଣାପଡିଛି । ଏହାସହ ନାମାଙ୍କନ ପ୍ରକ୍ରିୟାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ମଧ୍ୟ ୟୁରୋପୀୟ ନେତାମାନେ ଦାବି କରିଛନ୍ତି । କହିରଖୁ କି ୨୦୨୨ ରେ ନୋବେଲ ପୁରସ୍କାର ପାଇଁ ୯୨ ଟି ସଂଗଠନ ୨୫୧ ଜଣ ବ୍ୟକ୍ତିଙ୍କ ପାଇଁ ଆବେଦନ କରିଛନ୍ତି ।

ୟୁରୋପୀୟ ନେତାମାନେ ନୋବେଲ ପୁରସ୍କାର ଚୟନ କମିଟିକୁ କହିଛନ୍ତି କି ରାଷ୍ଟ୍ରପତି ଜେଲେନସ୍କି ଓ ୟୁକ୍ରେନବାସୀଙ୍କ ପାଇଁ ନୋବେଲ ଶାନ୍ତି ପୁରସ୍କାରର ନାମାଙ୍କନ ପ୍ରକ୍ରିୟାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଖୋଲା ରଖାଯାଉ । ସୂଚନା ଥାଉକି ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଁ ଅଗଷ୍ଟ ୩ ରୁ ୧୦ ତାରିଖ ମଧ୍ୟରେ ନାମ ଘୋଷଣା ହେବ ।

କହିରଖୁ କି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶୁକ୍ରବାରକୁ ୨୨ ଦିନରେ ପହଂଚିଛି । ଏବେ ଋଷ ସେନା ୟୁକ୍ରେନର ପଶ୍ଚିମାଞ୍ଚଳରେ ଆକ୍ରମଣ ଜାରି ରଖିଛନ୍ତି । ଯୁଦ୍ଧ ବନ୍ଦ କରିବାକୁ ଉଭୟ ଦେଶର ନେତା ଅନେକ ଥର ଭିନ୍ନ ଭିନ୍ନ ସ୍ତରରେ ଆଲୋଚନା କରିଥିଲେ ବି କିଛି ନିଷ୍କର୍ସ ବାହାରିପାରି ନାହିଁ ।

ସେପଟେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଶୁକ୍ରବାର ଦିନ ୟୁକ୍ରେନ ଓ ଋଷ ଯୁଦ୍ଧକୁ ନେଇ ଏକ ଜରୁରୀକାଳୀନ ବୈଠକ କରିଛି । ଏହି ବୈଠକରେ ୟୁକ୍ରେନ, ଆମେରିକା ଓ ବ୍ରିଟେନର ପ୍ରତିନିଧିମାନେ ୟୁକ୍ରେନର ଜନବହୁଳ ଅଞ୍ଚଳ, ମେଡିକାଲ ଉପରେ ଋଷ ଆକ୍ରମଣକୁ ନେଇ ଅଭିଯୋଗ କରିଛନ୍ତି ।