ହାତ ଦେଖି ଭବିଷ୍ୟତ କହୁଛନ୍ତି ଦୃଷ୍ଟିବାଧିତ ବ୍ୟକ୍ତି । ସବୁ ସମସ୍ୟାର ସମାଧାନ କରୁଛନ୍ତି ନୃସିଂହ ।

189

କନକ ବ୍ୟୁରୋ: ଭବିଷ୍ୟତ ଦେଖୁଛନ୍ତି ଦୃଷ୍ଟିବାଧିତ ବ୍ୟକ୍ତି । ଆଉ ହାତ ଦେଖାଇ ନିଜ ଭବିଷ୍ୟତ ଜାଣିବା ପାଇଁ ଲାଗୁଛି ଲୋକଙ୍କ ଲମ୍ବା ଲାଇନ୍ । ରାସ୍ତାରେ କଡରେ ବେକରେ ଗାମୁଛା ପକାଇ ବସିଥାନ୍ତି ୫୮ ବର୍ଷିୟ ନୃସିଂହ ଚରଣ ନାଏକ । ମହିଳା ହେଉ ଅବା ପୁରୁଷ, ଚାକିରି ହେଉ ଅବା ବିବାହ ସବୁ ସମସ୍ୟାର ସମାଧାନ ଅଛି ତାଙ୍କ ପାଖରେ । ଏପରିକି ପିଲାଛୁଆ ହେଉନଥିଲେ ମଧ୍ୟ ଲୋକ ତାଙ୍କର ପରାମର୍ଶ ଗ୍ରହଣ କରିଥାନ୍ତି । ଯଦି କୌଣସି ବ୍ୟକ୍ତି ଫୋନ ଜରିଆରେ ନିଜର ହାତ ରେଖା ସମ୍ପର୍କରେ ବର୍ଣ୍ଣନା କରିପାରିବେ ତେବେ ସେ ତାଙ୍କର ଭବିଷ୍ୟତ ସମ୍ପର୍କରେ କହିପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନୃସିଂହ ।

ତେବେ ୪ ବର୍ଷ ବୟସରେ ନିଜର ଦୃଷ୍ଟି ଶକ୍ତି ହରାଇଥିଲେ ନୃସିଂହ । ହେଲେ ଦିବ୍ୟ ଶକ୍ତି ବଳରେ ସେ ଭବିଷ୍ୟତ ଜାଣିପାରୁଥିବା ବିଶ୍ୱାସ କରି ଲୋକେ ତାଙ୍କ ପାଖକୁ ହାତ ଦେଖାଇବାକୁ ଆସୁଛନ୍ତି । ହାତ ଦେଖିବା ପାଇଁ ସେ କାହାଠୁ କିଛି ପାଉଣା ଦାବି କରନ୍ତି ନାହିଁ । ଯିଏ ଯାହା ଖୁସିରେ ଦେଲା ତାକୁ ଗ୍ରହଣ କରନ୍ତି । ଅନୁଗୁଳ ତାଳଚେର ସେଣ୍ଟ୍ରାଲ କଲୋନୀ ନିକଟସ୍ଥ ରାସ୍ତା କଡ ଗଛ ମୂଳରେ ବସୁଥିବା ନୃସିଂହଙ୍କ ପାଖରେ ହାତ ଦେଖାଇବା ପାଇଁ ବିଭିନ୍ନ ଜିଲ୍ଲାରୁ ଛୁଟୁଛି ଲୋକଙ୍କ ସୁଅ । ଅନେକ ଲୋକ ଏଭଳି ହାତ ଦେଖାଇ ଭବିଷ୍ୟତ ଜାଣିବା ପାଇଁ ଉତ୍କଣ୍ଠା ପ୍ରକାଶ କରିଥାନ୍ତି । କିନ୍ତୁ ଏହି ଭବିଷ୍ୟବାଣୀ କେତେ ମାତ୍ରାରେ ସତ ହୁଏ ତାହା କେବଳ ସେ ବ୍ୟକ୍ତି ହିଁ କହିପାରିବେ ।