କାରରେ ସିଟବେଲ୍ଟ ବାନ୍ଧିନଥିଲେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ । ଭୂଲ ସ୍ୱୀକାର କରି କ୍ଷମା ମାଗିଲେ ଋଷି ସୁନକ ।

127

କନକ ବ୍ୟୁରୋ: ଉତ୍ତର-ପଶ୍ଚିମ ଇଂଲଣ୍ଡର କୌଣସି ଏକ ସ୍ଥାନକୁ କାରରେ ବସି ଯିବା ବେଳେ ସାମାଜିକ ଗଣମାଧ୍ୟମ ପାଇଁ ଭିଡିଓ କ୍ଲିପଟିଏ ସୁଟିଙ୍ଗ୍‌ କରିବା ଅବସରରେ ସିଟ୍‌ ବେଲଟ୍ ଖୋଲି ପକାଇ ଭୁଲ୍‌ କରିଥିବା ସ୍ବୀକାର କରି ଗୁରୁବାର ଦିନ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ କ୍ଷମା ଭିକ୍ଷା କରିଛନ୍ତି । ସୁନକଙ୍କ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ ମୁଖପାତ୍ର କହିଛନ୍ତି, ସ‌େ ଅଳ୍ପ ସମୟ ପାଇଁ ସିଟ୍‌ ବେଲଟ୍ ଖୋଲି ପକାଇ ଭୁଲ୍‌ କରିଥିବା କଥା ସ୍ବୀକାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ସୁନକଙ୍କ ମୁଖପାତ୍ର କହିଛନ୍ତି, ଇଂଲଣ୍ଡର ଉତ୍ତରାଞ୍ଚଳ ଗସ୍ତ ସମୟରେ ସାମାଜିକ ଗଣମାଧ୍ୟମ ନିମନ୍ତେ ଭିଡିଓ କ୍ଲିପ୍‌ ସୁଟିଙ୍ଗ୍‌ କରିବା ଲାଗି ସେ ସ୍ବଳ୍ପ ସମୟ ପାଇଁ ସିଟ୍‌ ବେଲଟ୍ ଖୋଲି ପକାଇ ଭୁଲ୍‌ କରିଛନ୍ତି। ‘ପଲିଟିକୋ’ ରିପୋର୍ଟ ଅନୁସାରେ, ‘ଇନଷ୍ଟାଗ୍ରାମ୍‌’ ନିମନ୍ତେ ରେକର୍ଡ କରାଯାଇଥିବା ଉକ୍ତ କ୍ଲିପରେ ସୁନକ୍‌ ଚଳନ୍ତା ଗାଡ଼ିରେ ଯାଉଥିବା ବେଳେ ସୁରକ୍ଷା ଉପକରଣ ବିନା କ୍ୟାମେରା ସମ୍ମୁଖରେ କଥା କହୁଥିଲେ।

ବ୍ରିଟିସ୍‌ ଆଇନ ଅନୁସାରେ, ଗାଡ଼ି ଚାଲୁଥିବା ଅବସ୍ଥାରେ ସିଟ୍‌ ବେଲଟ୍ ନ ପିନ୍ଧିଥିଲେ ୫୦୦ ପାଉଣ୍ଡ୍‌ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼େ । ଅବଶ୍ୟ ଜରୁରୀକାଳୀନ ସେବା ପ୍ରଦାନକାରୀ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଜରିମାନା ଛାଡ଼ କରାଯିବାର ବ୍ୟବସ୍ଥା ରହିଛି। ସରକାରୀ କାରରେ ଯାଉଥିବାରୁ ସୁନକଙ୍କୁ ଜରିମାନା ଛାଡ଼ କରାଯାଏ କି ବୋଲି ପଚାରିବାରୁ ମୁଖପାତ୍ର ସାମ୍ବାଦିକମାନଙ୍କୁ କହିଲେ, ଭୁଲ୍‌ ବଶତଃ ସେ ଏମିତି କରିପକାଇଛନ୍ତି ଓ ସେଥିପାଇଁ କ୍ଷମା ପ୍ରାର୍ଥନା ବି କରିଛନ୍ତି । ପୂର୍ବରୁ କରୋନାଭାଇରସ୍‌ ନିୟମ ଉଲ୍ଲଂଘନ କରି ପୁଲିସକୁ ଜରିମାନା ଦେଇଥିବା ସୁନକ ଆଜିର ଘଟଣାକୁ ଭୁଲ୍‌ ବୋଲି ମାନିନେବା ସହିତ କ୍ଷମା ମାଗିଛନ୍ତି।

ଉଲ୍ଲେଖଯୋଗ୍ୟ, ସୁନକଙ୍କ ନିଜସ୍ବ ‘ଇନ୍‌ଷ୍ଟାଗ୍ରାମ୍‌’ ଆକାଉଣ୍ଟରେ ପୋଷ୍ଟ୍‌ ହୋଇଥିବା ଉକ୍ତ ଭିଡିଓ କ୍ଲିପଟିକୁ ଡିଲିଟ୍‌ କରାଯାଇଛି । କିନ୍ତୁ, ସୁନକଙ୍କ କାମକୁ ସମାଲୋଚନା କରି ‘ଲେବର୍‌ ପାର୍ଟି’ର ମୁଖପାତ୍ର କହିଛନ୍ତି, ଋଷି ସୁନକ ସିଟ୍‌ ବେଲ୍‌ଟ୍‌ ବନ୍ଧା, ନିଜ ଡେବିଟ୍‌ କାର୍ଡ ବ୍ୟବହାର, ଟ୍ରେନରେ ଯାତାୟାତ କରିବା, ଅର୍ଥନୀତି ଓ ଏ ଦେଶ ବିଷୟରେ କିଛି ଜାଣନ୍ତି ନାହିଁ । ଦିନକୁ ଦିନ ତାଙ୍କର ତ୍ରୁଟି ବୃଦ୍ଧି ପାଉଛି। ସେ ସବୁ ଦୃଶ୍ୟ ଯନ୍ତ୍ରଣାଦାୟକ।