ଦଳୀୟ ଚିହ୍ନକୁ ନେଇ ମୁହାଁମୁହିଁ ଉଦ୍ଧବ-ସିନ୍ଦେ । ଏବେ ନିର୍ବାଚନ କରିବାକୁ ବିଜେପିକୁ ଉଦ୍ଧବଙ୍କ ଚ୍ୟାଲେଞ୍ଜ

240

କନକ ବ୍ୟୁରୋ : ଶିବସେନାର ନେତା ଭାବେ ମହାରାଷ୍ଟର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ ଏବଂ ଦଳର ପ୍ରତିଷ୍ଠାତାଙ୍କ ପୁଅ ଉଦ୍ଧବ ଠାକରେଙ୍କ ମଧ୍ୟରେ ଦଳୀୟ ଚିହ୍ନକୁ ନେଇ ବିବାଦ ବଢିବାରେ ଲାଗିଛି । ଆଜି ଦଳୀୟ କର୍ମକର୍ତାଙ୍କ ସହ ଆଲୋଚନା କରିବା ପରେ ଦଳୀୟ ଚିହ୍ନ ’ଧନୁ-ତୀର’ କେହି ନେଇପାରିବେନି ବୋଲି କହିଛନ୍ତି ଉଦ୍ଧବ ଠାକରେ । ଉଦ୍ଧବ ବିଜେପିକୁ ଚ୍ୟାଲେଞ୍ଜ କରି ଏବେ ନିର୍ବାଚନ କରିବାକୁ କହିବା ସହ ଦଳୀୟ ଚିହ୍ନକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଚ୍ୟାଲେଞ୍ଜ କରିଛନ୍ତି  । ସେ କହିଛନ୍ତି, ଶିବସେନା ସାଧାରଣ ଲୋକଙ୍କୁ ବିଧାୟକ, ସାଂସଦ, ମନ୍ତ୍ରୀ ବନେଇଥିଲା । ସେମାନଙ୍କ ମଧ୍ୟରୁ କିଛି ଆମକୁ ଛାଡି ଚାଲିଯାଇପାରନ୍ତି, ହେଲେ ସେମାନଙ୍କୁ ବିଧାୟକ, ସାଂସଦ, ମନ୍ତ୍ରୀ ବନାଇଥିବା ଶିବ ସୈନିକ ତାଙ୍କ ସହ ଥିବା ଦାବି କରିଛନ୍ତି ଉଦ୍ଧବ ଠାକରେ    ।

ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବାକୁ  ସପ୍ତାହେ ବିତି ଯାଇଥିଲେ ମଧ୍ୟ ସରକାର ଗଠନ ପାଇଁ ରାଜ୍ୟପାଳ ଦେଇଥିବା ନିଷ୍ପତି ବିରୋଧରେ ପୁଣି ସୁପ୍ରିମକୋର୍ଟ ଯାଇଛନ୍ତି ଉଦ୍ଧବ ଠାକରେ । ଦଳର ୧୬ ବିଧାୟକଙ୍କ ଅଯୋଗ୍ୟ ମାମଲା କୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ ବେଆଇନ ବୋଲି ପିଟିସନ ଦାଖଲ କରିଛନ୍ତି ଉଦ୍ଧବଙ୍କ ଗୋଷ୍ଠୀ । ଏପେଟେ ଶବସେନାର ତୃଣମୂଳ ସ୍ତରର କର୍ମୀ ସିନ୍ଦେଙ୍କ ସହ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ଗୁରୁବାର ଥାନେ ମହାନଗର ନିଗମର ୬୭ କର୍ପୋରେଟର ସିନ୍ଦେଙ୍କ କ୍ୟାମ୍ପରେ ଯୋଗଦେଇଥିବା ବେଳେ ଶୁକ୍ରବାର ନାଭୀ ମୁମ୍ବାଇ ଏବଂ ଅନ୍ୟ କିଛି ନଗର ନିଗର କର୍ପୋରେଟରମାନେ ସିନ୍ଦେଙ୍କ ସହ ଯୋଗ ଦେଇଛନ୍ତି ।

ଆସନ୍ତା ୧୧ ତାରିଖ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ମାମଲା ସହ ଶୁକ୍ରବାର ଦାଖଲ ହୋଇଥିବା ନୂଆ ପିଟିସନର ଶୁଣାଣି କରିବାକୁ ସୁପ୍ରମିକୋର୍ଟ ଧାର୍ଯ୍ୟ କରିଥିବା ବେଳେ ଦଳୀୟ ଚିହ୍ନ କାହା ପାଖରେ ରହିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।