ଚାକିରି ମିଳୁଛି ହେଲେ ମିଳୁନି ଭଲ ଦରମା । ଓଡିଶା ସମେତ ସାରା ଭାରତରେ ସୃଷ୍ଟି ହେଉନି ଭଲ ଦରମା ମିଳୁଥିବା ଚାକିରି ।

381

କନକ ବ୍ୟୁରୋ: ଚାକିରି ପାଇବା ବଡ଼ କଥା ନୁହେଁ, ବଡ଼ କଥା ହେଉଛି ଚାକିରିରେ କେତେ ଦରମା ମିଳୁଛି? ଭାରତରେ ଚାକିରି ନମିଳିବା ବା ବେରୋଜଗାର ନେଇ ଯେତେ ଚର୍ଚ୍ଚା ହୁଏ, ଚାକିରିରେ କାହିଁକି ବଞ୍ଚିବା ଭଳି ଭଲ ଦରମା ମିଳୁନାହିଁ ସେ ନେଇ ଚର୍ଚ୍ଚା ହୁଏ ନାହିଁ । ଭାରତରେ ଏବେ ପ୍ରାୟ ୭୫% ଶ୍ରମଜୀବୀ କର୍ମଚାରୀଙ୍କ ହାରାହାରି ମାସିକ ଦରମା ୧୫ ହଜାର ଟଙ୍କା ତଳକୁ ରହିଛି, ଯାହାକି ସରକାରୀ କର୍ମଚାରୀଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ଦରମା ୧୮ ହଜାର ଟଙ୍କାରୁ ବି କମ୍ । କର୍ମଚାରୀଙ୍କ ଡାଟାବେସ୍ ନେଇ କାମ କରୁଥିବା କମ୍ପାନୀ “ସାଲାରି ବକ୍ସ’’ ସର୍ଭେରୁ ଏକଥା ପଦାକୁ ଆସିଛି ।

  • ଅଧିକ ପରିଶ୍ରମ, କମ୍ ଦରମା
  • ସୃଷ୍ଟି ହୋଇପାରୁନି ଭଲ ଚାକିରି
  • ଓଡ଼ିଶା ସମେତ ଭାରତରେ ଭଲ ଦରମା ମିଳୁଥିବା ଚାକିରି କମ୍
  • ଶ୍ରମଜୀବୀ କର୍ମଚାରୀଙ୍କୁ ମିଳୁନି ସରକାରଙ୍କ ସର୍ବନିମ୍ନ ଦରମା!

ନିକଟରେ ନୀତି ଆୟୋଗର ଉପାଧ୍ୟକ୍ଷ ଅରବିନ୍ଦ ପାନାଗରିଆ କହିଛନ୍ତି, ଓଡ଼ିଶା ସମେତ ଭାରତରେ ଭଲ ଦରମା ମିଳୁଥିବା ଚାକିରି ସୃଷ୍ଟି ହୋଇପାରୁନାହିଁ । ଶ୍ରମ ମନ୍ତ୍ରଣାଳୟର ପିରିଓଡିକ ଲେବର ଫୋର୍ସ (ପିଏଲଏଫ୍ଏସ୍) ୨୦୧୭-୧୮ ସର୍ଭେରୁ ମଧ୍ୟ ଏଭଳି ତଥ୍ୟ ମିଳିଥିଲା । ଏବେ କର୍ମଚାରୀଙ୍କ ଉପସ୍ଥାନ କ୍ଷେତ୍ରରେ କାମ କରୁଥିବା କମ୍ପାନୀ “ସାଲାରି ବକ୍ସ’’ର ସର୍ଭେରୁ ସମାନ କଥା ପଦାକୁ ଆସିଛି । ଚାକିରି ପାଇଗଲେ ଜଣେ ବ୍ୟକ୍ତିର ସମସ୍ୟା ଦୂର ହେଉନି, କାରଣ ଭଲ ଭାବେ ବଞ୍ଚିବା ପାଇଁ ମାସିକ ଯେତିକି ଟଙ୍କା ଆବଶ୍ୟକ, ସେତିକି ଦରମା ମିଳୁନି । ‘ସାଲାରି ବକ୍ସ’ ସର୍ଭେ ଅନୁସାରେ….

ସୁପରମାର୍କେଟ, ଗାର୍ମେଣ୍ଟ ଷ୍ଟୋର, ଟେଲରିଂ, କିରାନା ଷ୍ଟୋର କିମ୍ବା ଡ୍ରାଇଭର ଭାବେ କାମ କରୁଥିବା ବ୍ୟକ୍ତି କମ୍ ଦରମା ପାଉଛନ୍ତି

ଦୁଇ-ତୃତୀୟାଂଶ ଶ୍ରମଜୀବୀ କର୍ମଚାରୀଙ୍କୁ ମାସିକ ହାରାହାରି ୧୫ ହଜାର ଟଙ୍କାରୁ କମ ଦରମା ମିଳୁଛି

ସର୍ବନିମ୍ନ ମାସିକ ଦରମା ୧୮ ହଜାର ଟଙ୍କା ଧାର୍ଯ୍ୟ କରିଛି ସପ୍ତମ ବେତନ କମିଶନ

‘ସାଲାରି ବକ୍ସ’ ସର୍ଭେ ଅନୁସାରେ, ନିର୍ମାଣ କ୍ଷେତ୍ର, ଆଇଟି ଭଳି ଅଳ୍ପ କିଛି କ୍ଷେତ୍ରରେ କାମ କରୁଥିବା ଏକ-ତୃତୀୟାଂଶ କର୍ମଚାରୀଙ୍କ ମାସିକ ଦରମା ହାରାହାରି ୨୫ ହଜାର ଟଙ୍କା ରହିଛି । ଯାହା ଜଣେ ବ୍ୟକ୍ତିର ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ନୁହେଁ । ଜଣେ କର୍ମଚାରୀ ଭଲ ଦରମା ନ ପାଇଲେ ଠିକ୍ ଭାବେ କାମ କରିପାରେ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । କମ ଦରମାର ଚାକିରି ସମସ୍ୟା ଦୂର କରିବା ପାଇଁ କମ୍ପାନୀଗୁଡ଼ିକ ଧ୍ୟାନ ଦେବା ସହ ସରକାର ମଧ୍ୟ ଏ ନେଇ ଲେବର କୋଡକୁ ସମୟ ଉପଯୋଗୀ କରିବାକୁ ପଡ଼ିବ ବୋଲି ମତ ପ୍ରକାଶ ପାଇଛି ।