ଦିଲ୍ଲୀ, ମୁମ୍ବାଇ ସମେତ ୭ ରାଜ୍ୟରେ ବଢୁଛି ସଂକ୍ରମଣ : ଆଜିଠୁ ସାରା ଦେଶରେ ୨ ଦିନିଆ କୋଭିଡ୍ ମକଡ୍ରିଲ୍

172

କନକ ବ୍ୟୁରୋ : ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ସାରା ଦେଶରେ ଗୋଟିଏ ଦିନରେ ୫ ହଜାର ୩୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦ ଜଣ ପ୍ରାଣ ହରାଇଛନ୍ତି । ସେହିପରି ଓଡିଶା, ଦିଲ୍ଲୀ ଏବଂ ଅନ୍ୟ ରାଜ୍ୟରେ ବଢିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ଓଡିଶାରେ ଗୋଟିଏ ଦିନରେ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ସମ୍ବଲପୁରରେ ସର୍ବାଧିକ ୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁରରେ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରବିବାର ଦିଲ୍ଲୀରେ ୬୯୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ୫୩୫ ଜଣ ଚିହ୍ନଟ ହୋଇଥିଲେ । ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ରାଜଧାନୀରେ ସଂକ୍ରମଣ ହାର ୨୧.୧୫ ପ୍ରତିଶତକୁ ବୃଦ୍ଧି ପାଇଛି । ଗତକାଲି ୪ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଦିଲ୍ଲୀରେ ୨ ହଜାର ୪୬୦ ସଂକ୍ରମିତ ସକ୍ରିୟ ରହିଛନ୍ତି । ଏଥିମଧ୍ୟରୁ ୧ ହଜାର ୬୩୪ କରୋନା ରୋଗୀ ଘରେ ସଙ୍ଗରୋଧ ଅଛନ୍ତି । ୧୨୬ କରୋନା ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୭୮୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜସ୍ଥାନେରେ ୫୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଏବେ ଦେଶରେ ୭ଟି ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଛି । ଯେଉଁଥିରେ ଦିଲ୍ଲୀ ଏବଂ ମୁମ୍ବାଇ ରହିଛି । ଅନ୍ୟପଟେ ଆଜି ସାରା ଦେଶରେ ଥିବା କୋଭିଡ୍ ହସ୍ପିଟାଲରେ ମକଡ୍ରିଲ୍ ହେବ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ ଏହି ମକଡ୍ରିଲ୍ । କୋଭିଡ ସଂକ୍ରମଣ ବଢୁଥିବା ଦେଖି କେନ୍ଦ୍ର ସରକାର କୋଭିଡ ପରିଚାଳନା ପାଇଁ ମକଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ହସ୍ପିଟାଲ ଗୁଡିକରେ ଅକ୍ସିଜେନ, ଆଇସିୟୁ, ଭେଣ୍ଟିଲେଟର ଆଦି ପ୍ରସ୍ତୁତ ରଖିବାକୁ କୁହାଯାଇଛି ।