ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ ଘଟଣା : ୩ ଜଣଙ୍କୁ ଅଟକ ରଖିଲା କ୍ରାଇମବ୍ରାଞ୍ଚ ଟିମ୍; ପୋଲିସ ସ୍କାନରରେ ୨୦୦ରୁ ଅଧିକ, ଏଥର ଫସିବେ ସରକାରୀ ଚାକିରିଆ ଓ ଦଲାଲ

278

କନକ ବ୍ୟୁରୋ : ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ ଘଟଣା, ଆଉ ତିନି ଜଣଙ୍କୁ ଉଠାଇ ନେଇଛି ତଦନ୍ତକାରୀ ଟିମ୍ । ଏଥିସହ ସ୍କାନରରେ ସରକାରୀ ଚାକିରିଆ ଓ ଦଲାଲ । ଏପ୍ରିଲ ୧ ତାରିଖରୁ ଏହି ମାମଲାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଜାଲ୍ ସାର୍ଟିଫିକେଟ୍ ଦେଇ ପ୍ରାୟ ୨୦୦ ଜଣ ଚାକିରି କରିଛନ୍ତି । ଏହି ୨୦୦ ଜଣଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ସରକାରୀ ଚାକିରିଆ ଓ କିଛି ଦଲାଲ ରହିଛନ୍ତି ବୋଲି ସୂଚନା ରହିଛି । ରାକେଟରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ପୋଲିସ ଆରମ୍ଭ କରିଛି ତନାଘନା ।

ଯେଉଁମାନେ ଏହି ରାକେଟ ସହ ଜଡିତ ଅଛନ୍ତି ତାଙ୍କୁ ଗିରଫ କରିବାକୁ ବ୍ଲୁ ପ୍ରିଂଟ ପ୍ରସ୍ତୁତ ହେଉଥିବା ସୂଚନା ରହିଛି । ରିପୋର୍ଟରୁ ଜଣାପଡିଛି ଯେ, ବଲାଙ୍ଗୀରରେ ଅନେକ ବର୍ଷ ଧରି ଏହି ନକଲି ସାର୍ଟିଫିକେଟ ରାକେଟ୍ ସକ୍ରିୟ ରହିଛି । କ୍ରାଇମବ୍ରାଞ୍ଚ ଉଭୟ ମନୋଜ ଓ ସହଯୋଗୀ କମ୍ପ୍ୟୁଟର୍ ଶିକ୍ଷକ ଆଲୋକ ରଞ୍ଜନ ଉଦଗାତାଙ୍କ ପରିବାର ସଦସ୍ୟଙ୍କୁ ଜାଲ ସାର୍ଟିଫିକେଟ୍ କାରବାର ମାମଲାରେ ଜେରା କରିଛି । ସେମାନେ ଯେଉଁ ଉତର ଦେଇଛନ୍ତି ଏହାକୁ ଉଭୟ ମନୋଜ ଓ ଆଲୋକଙ୍କ ବୟାନ ସହିତ ମେଳ କରାଯାଇଛି ।

କିନ୍ତୁ ସେଥିରେ କୌଣସି ତାଳମେଳ ରହୁ ନଥିବାରୁ ଉଭୟ ପରିବାର ସଦସ୍ୟ ଏହି ଜାଲିଆତିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଏମାନେ ବି କ୍ରାଇମବ୍ରାଞ୍ଚ ସ୍କାନରରେ ଥିବାରୁ କୌଣସି ମୁହୂର୍ତ୍ତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବାର ସମ୍ଭାବନା ରହିଛି । ରିଲାଏନ୍ସ ଏଜୁକେସନାଲ୍ କମ୍ପେ୍ଲକ୍ସର ମାଲିକ ତଥା ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ର ନାଁରେ ଥିବା ୫ଟି ଜମିର କୌଣସି କିଣାବିକାକୁ ଅନୁମତି ନ ଦେବାକୁ ବଲାଙ୍ଗୀର ସବ୍ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖାଯାଇଛି । ପାଖାପାଖି ୧୦ ବର୍ଷ ହେବ ଏଭଳି ଜାଲିଆତି କରି ସାର୍ଟିଫିକେଟ୍ ବିକ୍ରି କରିଆସୁଥିବା ମନୋଜ ଦେଢ଼ କୋଟି ଟଙ୍କାରେ ୫ ଟି ମୂଲ୍ୟବାନ ଜମି କିଣିଥିଲା । କୋର୍ଟଙ୍କ ନିର୍ଦ୍ଦେଶ ବଳରେ ଏହି ଜମିକୁ କ୍ରାଇମବ୍ରାଞ୍ଚ ଜବତ କରିଛି ।