ଟ୍ରମ୍ପଙ୍କ ଶୈାଚାଳୟରୁ ଦସ୍ତାବିଜ ମିଳିବା ମାମଲା: ମଙ୍ଗଳବାର କୋର୍ଟରେ ହାଜର ହେବେ ଟ୍ରମ୍ପ, ଏକଜୁଟ ହୋଇପାରନ୍ତି ଟ୍ରମ୍ପଙ୍କ ସମର୍ଥକ

123

କନକ ବ୍ୟୁରୋ: ବିବାଦ ଓ ଟ୍ରମ୍ପ । ପିଛା ଛାଡ଼ୁନି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପଙ୍କ ବିବାଦ । ତେବେ ନିକଟରେ ଗୁପ୍ତ କାଗଜପତ୍ର ହେରଫେର ମାମଲାରେ ଟ୍ରମ୍ପ ଫସିଛନ୍ତି । ଦେଶର ସୁରକ୍ଷା ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ଓ ଗୁପ୍ତ କାଗଜକୁ ସେ ନିଜ ବ୍ୟକ୍ତିଗତ ଘରେ ଲୁଚାଇ ରଖିଥିଲେ ବୋଲି ଅଭିଯୋଗ ହୋଇଥିଲା । କେବଳ ଅଭିଯୋଗ ନୁହେଁ ଟ୍ରମ୍ପଙ୍କ ଶୈାଚାଳୟରୁ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ ହୋଇଛି । ଏହି ମାମଲାରେ ମଙ୍ଗଳବାର ମିଆମି କୋର୍ଟରେ ହାଜର ହେବେ ଟ୍ରମ୍ପ । ତେବେ ବାରମ୍ବାର ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଆସୁଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା କମିନଥିବା ଦେଖିବାକୁ ମିଳିଛି । ଟ୍ରମ୍ପ ଗୁପ୍ତ ଦସ୍ତାବିଜ ମାମଲାରେ କୋର୍ଟରେ ମଙ୍ଗଳବାର ହାଜର ହେବା ସମୟରେ ଟ୍ରମ୍ପଙ୍କ ସମର୍ଥକ ମାନେ ଏକଜୁଟ ହେବାର ସମ୍ଭାବନା ରହିଛି । ଫଳରେ ଆମେରିକାରେ ହିଂସାକାଣ୍ଡ ଆଶଙ୍କା କରାଯାଇଛି । ଟ୍ରମ୍ପଙ୍କ ସମର୍ଥନରେ ରାଲି କରି ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିବାକୁ ସମସ୍ତ ପ୍ରୟାସ କରିପାରନ୍ତି ସମର୍ଥକ ।

ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ଦସ୍ତାବିଜ ଲୁଚାଇ ରଖିଥିବା ଅଭିଯୋଗ ଟ୍ରମ୍ପଙ୍କ ବିରୋଧରେ ଅଣାଯାଇଛି । ତେବେ ଏହା ତାଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ହେବା ରାସ୍ତାରେ କଂଟା ସାଜିପାରେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ପ୍ରତିଯୋଗିତାରୁ ବାଦ୍ ପଡ଼ିବା ଧାରଣାକୁ ଟ୍ରମ୍ପ ପ୍ରତ୍ୟାଖାନ କରିଛନ୍ତି ।

ଟ୍ରମ୍ପଙ୍କ ନିକଟରୁ ୩୩୭ ସରକାରୀ ଦସ୍ତାବିଜ ଜବତ କରାଯାଇଛି । ଯେଉଁଥିରେ ୨୧ଟି ଗୁପ୍ତତଥ୍ୟ ବିଶିଷ୍ଟ କାଗଜପତ୍ର ରହିଛି । ଏହି କାଗଜପତ୍ର ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ପେଦନଶୀଳ ତଥ୍ୟ ରହିଛି । କେବଳ ନିର୍ଦ୍ଧିଷ୍ଟ ଅଧିକାରୀ ଓ ବ୍ୟକ୍ତିଙ୍କ ପାଖରେ ଏହି ତଥ୍ୟ ରହିବା ନିୟମ ରହିଛି । ଏହାକୁ ଟ୍ରମ୍ପ ଉଲଂଘନ କରିଥିବା ଅଭିଯୋଗ ହୋଇଛି । ବାଇଡେନ ପ୍ରଶାସନ କ୍ଷମତାର ଦୂରୂପଯୋଗ କରି ତାଙ୍କ ବିରୋଧରେ ଭିତିହୀନ ଅଭିଯୋଗ ଆଣିଥିବା ଓ ନ୍ୟାୟ ବିଭାଗକୁ ଅସ୍ତ୍ର କରିଥିବା ଟ୍ରମ୍ପ କହିଛନ୍ତି ।

ଗୋଟିଏ ପଟେ ଟ୍ରମ୍ପଙ୍କ ପିଛା ଛାଡ଼ୁନି ବିବାଦ । ଅନ୍ୟପଟେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଛି । ଆମେରିକାରେ ନିୟମ ଅନୁଯାୟୀ, ଗୁପ୍ତ ଦସ୍ତାବିଜ ନଷ୍ଟ କରିବା , ଲୁଚାଇବା ଏହି ସବୁ ମାମଲାରେ ଦୋଷୀ ହେଲେ ୩ ରୁ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଛି ।

ମଙ୍ଗଳବାର ମିଆମି କୋର୍ଟରେ ହାଜର ହେବେ ଟ୍ରମ୍ପ । ଆଉ ଏହି ସମୟରେ ତାଙ୍କ ସମର୍ଥକମାନେ ଏକଜୁଟ ହେବାର ଆଶଙ୍କା କରାଯାଇଛି । ତେବେ ଟ୍ରମ୍ପଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ କୋର୍ଟଙ୍କ ରାୟକୁ ଅପେକ୍ଷା ।