ମୃତଦେହ ପରିଚାଳନା ନେଇ ମତ ରଖିଲେ ଏମ୍ସ କର୍ତୃପକ୍ଷ । କହିଲେ, ଏବେ ଜାରି ରହିଛିି ଚିହ୍ନଟ ପ୍ରକ୍ରିୟା । ଡାକ୍ତରୀ ପାଠପଢ଼ାରେ ମୃତଦେହ ଲାଗିବା ନେଇ ହେଉଥିଲା ଚର୍ଚ୍ଚା

175

କନକ ବ୍ୟୁରୋ: ଦୁର୍ଘଟଣାର ୧୧ ଦିନ ପରେ ବି ୮୧ ଜଣ ମୃତକଙ୍କ ପରିଚୟ ମିଳିପାରିନି । ଗୋଟିଏ ପଟେ ମୃତକଙ୍କ ସମ୍ପର୍କୀୟ ମୃତଦେହ ନେବାକୁ ଅପେକ୍ଷା କରି ବସିଛନ୍ତି, ହେଲେ, ଡିଏନଏ ରିପୋର୍ଟ ଆସିବା ବିଳମ୍ବ ହେଉଥିବାରୁ ମୃତକଙ୍କ ପରିଚୟ ମିଳିପାରୁନି ।

  • ଶବ ଖୋଜୁଛି ପରିଚୟ
  • ଚିହ୍ନିବାକୁ ଲାଗିପାରେଏକ ମାସ

ଏମ୍ସର ୩ଟି କଣ୍ଟେନର ଭିତରେ ରହିଛି ୮୧ ମୃତଦେହ । ଅନେକଙ୍କ ଚେହେରା ଏତେ ମାତ୍ରାରେ ନଷ୍ଟ ହୋଇଯାଇଛି ଯେ , ତାହା ଚିହ୍ନିବା ମୁସ୍କିଲ ହୋଇପଡିଛି । ଶବ ନେବା ପାଇଁ ୭୫ ଜଣ ଦାବିଦାର ସାମ୍ନାକୁ ଆସିଛନ୍ତି । ଡିଏନଏ ପରୀକ୍ଷା ପାଇଁ ରକ୍ତ ନମୁନା ବି ଦେଇଛନ୍ତି । ହେଲେ, ଏକ ସପ୍ତାହ ଭିତରେ ଡିଏନଏ ରିପୋର୍ଟ ଆସିଯିବ ବୋଲି ପୂର୍ବରୁ କୁହାଯାଉଥିଲେ, ବି ଏଥିପାଇଁ ଅଧିକ ଦିନ ଲାଗିଯାଇପାରେ ବୋଲି କହିଛନ୍ତି ଏମ୍ସ କର୍ତୃପକ୍ଷ ।

ବାହାନଗା ରେଳ ଦୁର୍ଘଟଣାର ମୃତଦେହ ପରିଚାଳନା ନେଇ ଭୁବନେଶ୍ୱର ଏମ୍ସରେ ବସିଥିଲା ଗୁରୁତ୍ୱପୂର୍ଣ ବୈଠକ । ଆଉ ବୈଠକ ପରେ କର୍ତୁପକ୍ଷ କହିଛନ୍ତି, ବର୍ତମାନ ସମୟରେ ମୃତଦେହକୁ କଣ କରାଯିବ, ସେ ନେଇ କୌଣସି ନିଷ୍ପତି ହୋଇନି । ଏବେବି ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଏବଂ ମୃତଦେହ ଚିହ୍ନଟ ନହେବା ଯାଏଁ କଂଟେନର ଭିତରେ ରଖାଯିବ । ତେବେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣାରେ ମୃତଦେହ ଲାଗିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେନେଇ କୌଣସି ନିଷ୍ପତି ହୋଇନଥିବା ଏମ୍ସ କର୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।

ବାହନଗା ରେଳ ଦୁର୍ଘଟଣାକୁ ଏହି ଭିତରେ ୧୧ ଦିନ ହେଲାଣି । କିଏ ନିଖୋଜ ପରିଜନଙ୍କୁ ଖୋଜୁଛନ୍ତିି ତ ଆଉ କିଏ ଅପେକ୍ଷା କରିଛି ଡିଏନଏ ରିପୋର୍ଟକୁ । କିନ୍ତୁ ଏହି ଅପେକ୍ଷା କେବେ ସରିବ ତାର ଉତ୍ତର କାହାରି ପାଖରେ ନାହିଁ ।