ଦ୍ରୁତ ଗତିରେ ବ୍ୟାପୁଛି ଟମାଟୋ ଫିଭର । ଜାଣନ୍ତୁ କେଉଁ ଲୋକଙ୍କ ଶରୀରରେ ଦେଖାଯାଉଛି କିଭଳି ଲକ୍ଷଣ

133

କନକ ବ୍ୟୁରୋ : କିଛିଦିନ ହେବ ସାରା ବିଶ୍ୱ ମହାମାରୀ କରୋନା ଭୂତାଣୁ ସହ ଲଢେଇ ଜାରି ରଖିଥିବା ବେଳେ ଏବେ ପୁଣି ମଙ୍କିପକ୍ସ ଓ ଟମାଟୋ ଫିଭର ବିଶ୍ୱବାସୀଙ୍କ ଚିନ୍ତା ବଢାଇଛି । ହ୍ୟାଣ୍ଡ, ଫୁଟ ମାଉଥ ଡିଜିଜ ଭଳି ଟମାଟୋ ଫିଭରକୁ ନେଇ ଆତଙ୍କ ଦେଖିବାକୁ ମିଳିଛି । ଏଭଳି ସଂକ୍ରମଣ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢାଇଛି । କାରଣ ଏହି ଟମାଟୋ ଫିଭର ବିଶେଷ ଭାବେ ଛୋଟ ପିଲାଙ୍କ ଶରୀରରେ ଦେଖିବାକୁ ମିଳୁଛି । ଲାଂସେର୍ଟ ରେସିପେଟରୀ ଜର୍ନଲର ଏକ ଷ୍ଟଡି ମୁତାବକ ଏହି ଭୂତାଣୁ ପ୍ରଥମେ ୨୦୨୨ ମେ ୬ ତାରିଖରେ କେରଳରେ ପ୍ରଥମଥର ଦେଖିବାକୁ ମିଳିଥିଲା    । ହେଲେ ଏପର୍ଯ୍ୟନ୍ତ ୮୨ ଜଣ ଶିଶୁ ଟମାଟୋ ଫିଭର ବା ଟମାଟୋ ଫ୍ଲୁରେ ସଂକ୍ରମିତ ହୋଇଛନ୍ତି । ଏହି ଜ୍ୱର ବିଶେଷ ଭାବେ ୧-୫ ବର୍ଷର ଶିଶୁ ଓ ରୋଗ ପ୍ରତିରୋଧକ ଶକ୍ତି କମ ଥିବା ବୟସ୍କମାନଙ୍କ ଠାରେ ଦେଖିବାକୁ ମିଳୁଛି ।

ଲାନସେର୍ଟ ଷ୍ଟଡିରେ କୁହାଯାଇଛି କି ଯେଭଳି ଭାବେ ଆମେ କୋଭିଡ-୧୯ ର ଚତୁର୍ଥ ସାମ୍ଭାବ୍ୟ ବିପଦରୁ ଉଦ୍ଧାର ହୋଇଛନ୍ତି ଠିକ୍ ସେହିଭଳି ସ୍ଥିତିରେ ଏବେ ଟମାଟୋ ଫ୍ଲୁ ନାମରେ ଏକ ନୂଆ ଭୂତାଣୁ ମଣିଷ ଶରୀରରେ ଦେଖିବାକୁ ମିଳିଛି । ଏହି ଭୂତାଣୁ ସଂକ୍ରମଣ ବିଶେଷ ଭାବେ କେରଳରେ ୫ ବର୍ଷରୁ କମ ବୟସର ଶିଶୁଙ୍କ ଠାରେ ଦେଖିବାକୁ ମିଳିଛି ।

ଷ୍ଟଡି ରିପୋର୍ଟ ମୁତାବକ ଚିକନଗୁନିଆ କିମ୍ବା ଡେଙ୍ଗୁ ଭଳି ଟମାଟୋ ଫ୍ଲୁ ସଂକ୍ରମିତଙ୍କ ଠାରେ ପ୍ରଥମେ ଜ୍ୱରର ଲକ୍ଷଣ ଦେଖିବାକୁ ମିଳିଥାଏ । ଶରୀରରେ ଛୋଟ ଛୋଟ ଦାଗ, ଆଣ୍ଠୁ ଗଣ୍ଠି ବଥା ହେବା,  ବାନ୍ତି କିମ୍ବା ବଦହଜମୀ ଭଳି ଲକ୍ଷଣ ଦେଖାଗଲେ ତାହାକୁ ଟମାଟୋ ଫ୍ଲୁ ବୋଲି ଆଶଂକା କରାଯାଇ ପାରିବ ।

ଯଦି ଆମେ ଏହାର ଉପଚାର କଥା କହିବା ତେବେ ଡାକ୍ତରଙ୍କ ପରାମର୍ଶ ମୁତାବକ ଆମେ ଶିଶୁମାନଙ୍କୁ ପରିସ୍କାର ପରିଚ୍ଛନ ରଖିବା ସହ ସେମାନେ ରହୁଥିବା ଘର ଓ ବ୍ୟବହାର କରୁଥିବା ସମସ୍ତ ସାମଗ୍ରୀକୁ ପରିସ୍କାର ରଖିବା । ଏହାସହ ଯଦି ପିଲାଙ୍କ ଠାରେ ଏଭଳି କିଛି ଲକ୍ଷଣ ଦେଖିବାକୁ ମିଳେ ତେବେ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯିବା । ଏହାସହ ଯଦି ପିଲାଠାରେ ଏହି ଭୂତାଣୁ ଚିହ୍ନଟ ହୁଏ ତେବେ ତାଙ୍କୁ ପ୍ରଥମେ କୁଣ୍ଡେଇ ହେବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେବା ସହ ପ୍ରଚୁର ପରିମାଣର ପାଣି ପିଇବାକୁ ବାଧ୍ୟ କରିବା ।