ଚୀନରେ ଅଣାୟତ ହୋଇପଡ଼ିଛି କରୋନା ସଂକ୍ରମଣ । ମାସକରେ ୬୦ହଜାର କରୋନାଜନିତ ମୃତ୍ୟୁ ହୋଇଥିବା ସୂଚନା ଦେଲେ ଚୀନ୍ ସରକାର

119

କନକ ବ୍ୟୁରୋ : ଚୀନରେ କରୋନା ଭାଇରସ ଆତଙ୍କ ଖେଳାଇଛି । ପ୍ରତିଦିନ ଲକ୍ଷାଧିକ ଲୋକେ ସଂକ୍ରମିତ ହେଉଥିବା ନେଇ ସୂଚନା ମିଳିଛି । ତେବେ କରୋନାରେ ଦେଶରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି, ତା’ର ତଥ୍ୟ ପ୍ରଥମଥର ପ୍ରକାଶ କରିଛି ଚୀନ୍ । ଗତବର୍ଷ ଡିସେମ୍ବରରୁ ଏପର୍ଯ୍ୟନ୍ତ ୫୯ହଜାର ୯୩୮ ଲୋକଙ୍କର କୋଭିଡଜନିତ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି । ଏହା ପୂର୍ବରୁ ଚୀନ୍ ଦାବି କରିଆସୁଥିଲା ଯେ ଦେଶରେ ମହାମାରୀ ନିୟନ୍ତ୍ରଣରେ ରହିଛି । କିନ୍ତୁ ଗତ ଦେଢ଼ମାସରେ କରୋନାଜନିତ ମୃତ୍ୟୁ ଦର୍ଶାଉଛି ଯେ ଚୀନରେ ଏହି ମହାମାରୀ କେତେ ବ୍ୟାପକ କ୍ଷତି ପହଂଚାଇଛି । ଚୀନରେ କରୋନାରେ କେତେ ଲୋକଙ୍କ ଜୀବନ ଯାଇଛି, ସେନେଇ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ ନକରିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମାଲୋଚନା କରିଥିଲା । ଯାହା ପରେ ଚୀନ୍ ମୃତ୍ୟୁ ସଂଖ୍ୟା ସାର୍ବଜନୀନ କରିଛି ।

ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ରିପୋର୍ଟ ଅନୁସାରେ, ଗତବର୍ଷ ଡିସେମ୍ବର ୮ରୁ ଜାନୁଆରୀ ୧୨ ତାରିଖ ସୁଦ୍ଧା ଦେଶରେ ୫୯ହଜାର ୩୩୮ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ ଯୋଗୁଁ ଶ୍ୱାସକ୍ରିୟାରେ ସମସ୍ୟା ହୋଇ ୫ହଜାର ୫୫୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୪ହଜାର ୪୩୫ ଜଣଙ୍କର କରୋନା ସହ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମୃତ୍ୟୁ ହୋଇଛି । କରୋନାରେ ମୃତ୍ୟୁ ହୋଇଥିବା ୯୦ ପ୍ରତିଶତରୁ ଅଧିକ ଲୋକଙ୍କର ବୟସ ୬୫ ବର୍ଷରୁ ଅଧିକ ବୋଲି ଚୀନର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି । ସେପଟେ ଚୀନ୍ ରାଜଧାନୀ ବେଜିଂର ପ୍ରାୟ ସମସ୍ତ ୨୨ ନିୟୂତ ଲୋକ ଜାନୁଆରୀ ସୁଦ୍ଧା କୋଭିଡ୍ ସଂକ୍ରମିତ ହେବା ନେଇ ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି । ବେଜିଂର ପ୍ରାୟ ୭୬ ପ୍ରତିଶତ ଲୋକ ୨୦୨୨ ଡିସେମ୍ବର ସୁଦ୍ଧା ସଂକ୍ରମିତ ହୋଇଥିବା ବେଳେ ଜାନୁଆରୀ ଶେଷ ସୁଦ୍ଧା ଏହି ସଂଖ୍ୟା ୯୨ ପ୍ରତିଶତରେ ପହଂଚିବ ବୋଲି ରିପୋର୍ଟରେ କୁହାଯାଇଛି